୬୦୦୦ ଲେଖାଏଁ ପାଇଲେ ୭୩୦୦ ପଞ୍ଜୀକୃତ ହକର
ଭୁବନେଶ୍ୱର: ହକ୍ ପାଇଛନ୍ତି ଖବରକାଗଜ ହକର୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଖବରକାଗଜ ହକରମାନଙ୍କୁ ସ୍ୱତନ୍ତ୍ର କୋଭିଡ୍ ସହାୟତା ଦେବା ସହ ସେମାନଙ୍କୁ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପଞ୍ଜୀକୃତ ୭,୩୦୦ ହକର ଏହାର ସୁବିଧା ପାଇଛନ୍ତି । ପ୍ରତ୍ୟେକଙ୍କୁ ୬ ହଜାର ଟଙ୍କା ଲେଖାଏଁ କୋଭିଡ୍ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯାଇଛି । ଏହି ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହା ପ୍ରଦାନ କରାଯାଇଛି ।
ଆଜି ଲୋକସେବା ଭବନ କନଭେନସନ୍ ହଲ୍ ରେ ଆୟୋଜିତ ଭିଡ଼ିଓ କନଫରେନିସଂ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ସହାୟତା ପ୍ରଦାନ କରିଛନ୍ତି ।
କୋଭିଡ୍ ସହାୟତା ସହିତ ହକରମାନଙ୍କୁ ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡରେ ସାମିଲ କରାଯାଇ ସାହାଯ୍ୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କା, ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିବା ହକରମାନଙ୍କୁ ମଧ୍ୟ ସହାୟତା ବ୍ୟବସ୍ଥା କରାଯାଇଛି । ସାରା ଭାରତରେ ଏହା ପ୍ରଥମ ବୋଲି କୁହାଯାଇଛି ।
ସୂଚନାଥାଉକି, ଦୁର୍ଘଟଣାଜନିତ ସମ୍ପୂର୍ଣ୍ଣ ଅକ୍ଷମତା ଯୋଗୁଁ ହକରମାନଙ୍କୁ ଦେଢ଼ ଲକ୍ଷ ଟଙ୍କା, ଉଭୟ ଅଙ୍ଗ ହରାଇଥିବା ହକରମାନଙ୍କୁ ୮୦ ହଜାର ଓ ଗୋଟିଏ ଅଙ୍ଗ ହରାଇଥିବା ହକରମାନଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ହକରମାନେ ସୁବିଧାରେ କାମ କରିବା ପାଇଁ ଜିଲ୍ଲାସ୍ତରରେ ୱାର୍କସେଡ୍ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ହକରମାନେ ହେଉଛନ୍ତି ଖବରକାଗଜ ଓ ପାଠକଙ୍କ ମଧ୍ୟରେ ସେତୁ । ଖରା, ବର୍ଷା, ଶୀତ ସବୁ ସମୟରେ ଏପରିକି କୋଭିଡ୍ ମହାମାରୀ ସମୟରେ ମଧ୍ୟ ସେମାନେ ନିଜ ଦୁଃଖ କଷ୍ଟ ଭୁଲି ପାଠକମାନଙ୍କୁ ଖବରକାଗଜ ଯୋଗାଇଛନ୍ତି ।
କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ ଆର୍ଥିକ ଦୂରାବସ୍ଥାର ସମ୍ମୁଖୀନ ହେଉଥିବା ହକରମାନେ ଏହାଦ୍ୱାରା ଉପକୃତ ହେବେ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ସାରା ଦେଶରେ ଅଭିନବ ଓ ଅନନ୍ୟ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ ସ୍ୱାଗତ ଭାଷଣ ଦେଇଥିଲା ବେଳେ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ, ବିଧାୟକଗଣ, ଜିଲ୍ଲାପାଳ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ହକରମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଭୁବନେଶ୍ୱରରୁ ଗୋବର୍ଦ୍ଧନ ଦାସ, କଟକରୁ ରତ୍ନାକର ପ୍ରଧାନ, ସମ୍ବଲପୁରରୁ କୃଷ୍ଣଚନ୍ଦ୍ର ନାଥ ଓ ବ୍ରହ୍ମପୁରରୁ ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ହକରମାନେ ଯୋଡି ହୋଇ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ । ମୁଖ୍ୟମନ୍ତ୍ରୀ ଆମ ଦୁଃଖ ବୁଝିଥିବାରୁ ଆମେ ହୃଦୟରୁ ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛୁ ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଶ୍ରୀ ମଙ୍ଗରାଜଙ୍କ ସହଯୋଗ ପାଇଁ ମଧ୍ୟ ସେମାନେ ଧନ୍ୟବାଦ ଜଣାଇଥିଲେ ।
ଥିଲେ ।