ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ଅନେକ ବଡ଼ ପଦକ୍ଷେପ ନେଇଛନ୍ତି । ୭୦ ଲକ୍ଷ ମହିଳା ଅନ୍ତର୍ଭୁକ୍ତ ଥିବା ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଅନେକ ଯୋଜନା ହାତକୁ ନେଇଛନ୍ତି । ମିଶନ ଶକ୍ତି ମା’ ମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ ରିହାତି ପ୍ରଦାନ, ଅନଲାଇନ୍ ମାର୍କେଟ୍ ବ୍ୟବସ୍ଥାର ଶୁଭାରମ୍ଭ, କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କ ପୋଷାକ ପାଇଁ ଭତ୍ତା ଘୋଷଣା, ଫେଡ଼େରେସନ୍ ଇସି ମେମ୍ବର ମାନଙ୍କ ବୈଠକ ବାବଦ ଦେୟ ଓ ଗସ୍ତ ଭତ୍ତା ଘୋଷଣା, ଜିଲ୍ଲାସ୍ତରରେ ମିଶନ ଶକ୍ତି ଗଠନ ପାଇଁ ପ୍ରତି ଜିଲ୍ଲାକୁ ୧ କୋଟି ଟଙ୍କା ଘୋଷଣା ଆଦି କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଆଜି ଶୁଭାରମ୍ଭ କରିଛନ୍ତି । ସେପଟେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀମାନଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜୀବିକା ଖର୍ଚ୍ଚ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମିଶନ ଶକ୍ତିକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ମିଶନ ଶକ୍ତିର ମା’ ମାନେ ଏ ପର୍ଯ୍ୟନ୍ତ ୬ ହଜାର କୋଟି ଟଙ୍କାର ଋଣ ନେଲେଣି । ଏହି ଋଣ ପାଇଁ ସୁଧ ରିହାତି ବାବଦରେ ମୁଖ୍ୟମନ୍ତ୍ରୀ ୨୦୦ କୋଟି ଟଙ୍କା ଦେଇଛନ୍ତି । ଏଥିପାଇଁ ସହଯୋଗ କରିଥିବା ବ୍ୟାଙ୍କମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଅନ୍ୟ ବ୍ୟାଙ୍କମାନେ ଏଭଳି ଭାବରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ।
ମିଶନ ଶକ୍ତି ମା’ ମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ପାଇଁ ଭୁବନେଶ୍ୱରରେ ମିଶନ ଶକ୍ତି ବଜାରର ଭିତ୍ତିଭୂମି ଏବଂ ଅନଲାଇନ୍ ମାର୍କେଟିଂର ଶୁଭାରମ୍ଭ ଏକ ବଳିଷ୍ଠ ପଦକ୍ଷେପ । ଏହାଦ୍ୱାରା ସାରା ବିଶ୍ୱରେ ମିଶନ ଶକ୍ତି ମା’ ମାନଙ୍କର ଦ୍ରବ୍ୟ ବିକ୍ରୟ ହୋଇପାରିବ । ଆମେରିକା ଓ ଲଣ୍ଡନ ଲୋକେ ମୟୁରଭଞ୍ଜ ଓ ମାଲକାନଗିରିର ମିଶନ ଶକ୍ତି ମା’ ମାନଙ୍କ ଦ୍ରବ୍ୟ କିଣିପାରିବେ । ଏହାଦ୍ୱାରା ମା’ ମାନଙ୍କ ରେଜଗାର ବୃଦ୍ଧି ପାଇବ । ଆଗାମୀ ଦିନରେ ସାରା ରାଜ୍ୟରେ ମିଶନ ଶକ୍ତି ବଜାର ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଆର୍ଥିକ ଦୃଷ୍ଟିରୁ ମା’ ମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁ ଗାଁରେ ବ୍ୟାଙ୍କ ନାହିଁ, ସେଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ସଖୀମାନଙ୍କୁ ଦାୟିତ୍ୱ ଦିଆଯିବ ।
ସବୁ ବ୍ଲକ୍ ଓ ରାଜ୍ୟସ୍ତରରେ ମିଶନ ଶକ୍ତି ଭବନ ନିର୍ମାଣ କରାଯିବ । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ ୧ କୋଟି ଟଙ୍କା ଦିଆଯିବ । ଉଲ୍ଲେଖଥାଉକି, ଏବେ ସବୁ ପଞ୍ଚାୟତ ଓ ୱାର୍ଡରେ ମିଶନ ଶକ୍ତି ଘର ନିର୍ମାଣ କରାଯାଉଛି ।
ଇସି ସଦସ୍ୟମାନଙ୍କ ବୈଠକ ଓ ଗସ୍ତ ଖର୍ଚ୍ଚ ବାବଦରେ ମିଶନ ଶକ୍ତି ମା’ ମାନଙ୍କ ଅନୁରୋଧ ରକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ଫେଡ଼େରେସନ୍ ର ଇସି ସଦସ୍ୟମାନଙ୍କ ବୈଠକ ବାବଦ ଖର୍ଚ୍ଚ ଓ ଗସ୍ତ ପାଇଁ ରାଜ୍ୟ ସରକାର ଭତ୍ତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ୨୦୦ କୋଟି ଟଙ୍କା ମଂଜୁର କରିଛନ୍ତି ।
ପଞ୍ଚାୟତସ୍ତରରେ ସବୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କ ୟୁନିଫର୍ମ ପୋଷାକ ପାଇଁ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମିଶନ ଶକ୍ତିର ମା ମାନଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ଠାରୁ ଆରମ୍ଭ କରି ବିଭିନ୍ନ ଜରୁରୀ ସମୟରେ ମିଶନ ଶକ୍ତିର ମା ମାନେ ଭଲ କାମ କରିଛନ୍ତି । ସେଥିପାଇଁ ଓଡିଶା ଋଣୀ । ସେମାନେ ମିଶନ ଶକ୍ତିର ଗୌରବ ବୃଦ୍ଧି କରିଛନ୍ତି।
କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କଥା ନୁହେଁ, କାମରେ ବିଶ୍ବାସ କରନ୍ତି । ତାଙ୍କର ଦୃଢ ନେତୃତ୍ବ ଯୋଗୁ ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ଶକ୍ତିଶାଳୀ ହୋଇପାରିଛି । ଏଥିରେ ସ୍ୱାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ ଆଜି ଦିନଟିକୁ ମିଶନ ଶକ୍ତି ପାଇଁ ଏକ ଐତିହାସିକ ଦିନ ଭାବରେ ବର୍ଣ୍ଣନା କରିଥିଲେ ଏବଂ ମା ମାନେ ସରକାର ଓ ସମାଜ ମଧ୍ୟରେ ସେତୁବନ୍ଧ ଭାବରେ କାମ କରି ଆନ୍ଦୋଳନକୁ ମଜବୁତ କରିଛନ୍ତି ବୋଲି କହିଥିଲେ । ବିଭାଗୀୟ ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ବରଗଡ, ନୂଆପଡା, ଗଞ୍ଜାମ ଓ ମୟୁରଭଂଜର ମିଶନ ଶକ୍ତି ବ୍ଲକ୍ ସଭାନେତ୍ରୀ ମାନଙ୍କ ସହିତ ମତ ବିନିମୟ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଭର୍ଚୁଆଲ୍ ରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ୩୧୪ ବ୍ଲକ୍ର ବ୍ଲକ୍ ଫେଡେରେସନର ସଭାନେତ୍ରୀମାନେ ଯୋଗ ଦେଇଥିଲେ ।
BSKY ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଜୀବିକା ସହାୟତା
ସେପଟେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀମାନଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜୀବିକା ଖର୍ଚ୍ଚ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସମୟରେ ଗରିବ ଲୋକଙ୍କ ଆର୍ଥିକ ଦୂରାବସ୍ଥାକୁ ଲାଘବ କରିବା ପାଇଁ ଏହି ସହାୟତା ଯୋଗାଇ ଦିଆଯାଇଛି । ବିଜୁ ସ୍ୱାସ୍ଥ୍ୟ କାର୍ଡ ନ ଥିଲେ, ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନେ ମଧ୍ୟ ଏହି ସହାୟତା ପାଇପାରିବେ । ଏହି ଯୋଜନାରେ ରାଜ୍ୟର ୯୬ ଲକ୍ଷ ପରିବାର ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୯୬୦ କୋଟି ଟଙ୍କା ଖର୍ଚ୍ଚ କରିବେ ।
ଆଜି ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଗରିବ ଲୋକଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । କୋଭିଡ୍ ର ପ୍ରଥମ ଓ ଦ୍ୱିତୀୟ ଲହର ଆମ ପାଇଁ ଆହ୍ୱାନ ସୃଷ୍ଟି କରିଥିଲା । ଗରିବଙ୍କ ଆର୍ଥିକ ଓ ସାମାଜିକ ଜୀବନକୁ ଏହା ଦୋହଲାଇ ଦେଇଛି । କୋଭିଡ୍ ର ପ୍ରଭାବ ଏ ପର୍ଯ୍ୟନ୍ତ ମଧ୍ୟ ଯାଇନାହିଁ । ସେମାନଙ୍କ କଷ୍ଟକୁ ଦୂର କରିବା ପାଇଁ ଏହି ସହାୟତା ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ଓମିକ୍ରନ୍ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସତର୍କ କରାଇଛନ୍ତି । କୋଭିଡ୍ ର ଏହି ନୂଆ ଭାରିଏଣ୍ଟ ତା’ର କାୟା ବିସ୍ତାର କରୁଛି । ତେଣୁ ଜନସାଧାରଣ ସତର୍କ ରହି କୋଭିଡ୍ ନିୟମ ପାଳନ କରିବାକୁ ହେବ । ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଏବଂ ଅତି ଆବଶ୍ୟକ ନହେଲେ ଭିଡ଼କୁ ନ ଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏହି ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭାଷଣ ଦେଇଥିଲେ । ୩୧୪ ବ୍ଲକ୍ ର ହିତାଧିକାରୀମାନଙ୍କ ମନ୍ତ୍ରୀ ଓ ବିଧାୟକମାନେ ଯୋଡି ହୋଇଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଖାଦ୍ୟ ଉତ୍ପାଦନ କମିଶନର ଆର.କେ.ଶର୍ମା, ଯୋଗାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।