ଭୁବନେଶ୍ୱର: ବିଧାନସଭାରେ ରୀତିମତ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ବିଧାୟକଙ୍କ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ । ତାରା ପ୍ରସାଦ ବାହିନୀପତି ଏବଂ ରମେଶ ଜେନାଙ୍କୁ ଛାଡ଼ି ବାକି ୧୨ ବିଧାୟକଙ୍କୁ ୭ଟି କାର୍ଯ୍ୟ ଦିବସ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି । ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗରେ ଧାରଣା ଦେଇଥିବା ବେଳେ ସେମାନଙ୍କୁ ବାହାର କରିବା ପାଇଁ ବାଚସ୍ପତି ମାର୍ଶାଲଙ୍କୁ ଲଗାଇଥିଲେ ।
ମହିଳା ସୁରକ୍ଷା ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ କଂଗ୍ରେସ ବିଧାୟକମାନେ ୪ ଦିନ ହେଲା ଅଡ଼ି ବସିଛନ୍ତି । ମାତ୍ର ବାଚସ୍ପତି ଶୁଣୁନାହାନ୍ତି । ଫଳରେ ଆଜି ମଧ୍ୟ ସେମାନେ ଗୃହ କାର୍ଯ୍ୟ ଚଳାଇ ଦେଇ ନ ଥିଲେ । ଘଣ୍ଟ, ଝାଞ୍ଜ, ଗିନି, ତୁରି ବଜାଇ ପ୍ରତିବାଦ ଜାରି ରଖିଥିଲେ । ଫଳରେ ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟ, ଶୂନ୍ୟକାଳ ଏବଂ ମୁଲତବୀ ଆଲୋଚନା ହୋଇପାରି ନ ଥିଲା । ବାଚସ୍ପତିଙ୍କୁ ବାରମ୍ବାର ଗୃହ ମୁଲତବୀ ରଖିବାକୁ ପଡ଼ିଥିଲା ।
ଅପରାହ୍ନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଥିଲା । ବାଚସ୍ପତି ଗୃହ ସ୍ୱାଭାବିକ କରିବାକୁ ଚାହିଁଥିଲେ । ମାତ୍ର କଂଗ୍ରେସ ବିଧାୟକମାନେ ସେମାନଙ୍କ ଦାବିରେ ଅଡ଼ି ବସି ନାରାବାଜି ଜାରି ରଖିଥିଲେ । ଫଳରେ ବାଚସ୍ପତି ପୁଣି ଗୃହକୁ ମୁଲତବୀ ରଖିଥିଲେ । ଏହା ଭିତରେ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଗୃହରେ ଏକ ପ୍ରସ୍ତାବ ଆଣିଥିଲେ । ଗୃହରେ ବିଶୃଙ୍ଖଳିତ ଆଚରଣରେ ଲିପ୍ତ ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ବାଚସ୍ପତି ଏହାକୁ ଗ୍ରହଣ କରି ସାତଟି କାର୍ଯ୍ୟ ଦିବସ ପାଇଁ ସେମାନଙ୍କୁ ନିଲମ୍ବନ ଆଦେଶ ଦେଇଥିଲେ ।
ଗୃହରୁ ନିଲମ୍ବିତ କଂଗ୍ରେସ ବିଧାୟକମାନେ ହେଲେ- ରାମଚନ୍ଦ୍ର କାଡ଼ାମ୍, ସତ୍ୟଜିତ ଗମାଙ୍ଗ, ରାଜନ୍ ହକ୍କା, ପବିତ୍ର ସାଉଁନ୍ତା, ସୋଫିଆ ଫିରଦୋସ୍, ଅଶୋକ ଦାସ, ଦାଶରଥୀ ଗମାଙ୍ଗ, କାଡ୍ରାକା ଅପାଲାସ୍ୱାମୀ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ନୀଳମାଧବ ହିକକା ଏବଂ ସାଗର ଦାସ ।
ପୂର୍ବରୁ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ୭ ଦିନ ପାଇଁ ନିଲମ୍ବନ କରିଥିଲେ ।