ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ଆଇଇଏସ୍(ଇଣ୍ଡିଆନ୍ ଇକନୋମିକ୍ ସର୍ଭିସ୍) ଅଧିକାରୀ ଡ. କମଳା କାନ୍ତ ତ୍ରିପାଠୀ । ୧୯୯୯ ବ୍ୟାଚ୍ ର ଏହି ଅଧିକାରୀ ଇକୋନମିକ୍ ଆଡଭାଇଜୋରି କାଉନସିଲ୍ ଟୁ ଦ ପ୍ରାଇମ୍ ମିନିଷ୍ଟର(ଇଏସି-ପିଏମ)ରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଆଇଏଏସ୍ ଅଧିକାରୀ ପୱନ କୁମାରଙ୍କ ଜାଗାରେ ସେ ନୀତି ଆୟୋଗରେ ୫ ବର୍ଷ ପାଇଁ କାର୍ଯ୍ୟ କରିବେ । ଡିଓପିଟି ପକ୍ଷରୁ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ଡ. ତ୍ରିପାଠୀ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ଅର୍ଥନୈତିକ ପରାମର୍ଶଦାତା(ଟିବି) ଭାବେ କାର୍ଯ୍ୟ କରୁଥିଲେ । ସମବାୟ ପରିଚାଳନା କ୍ଷେତ୍ରରେ ସ୍ୱତନ୍ତ୍ର ଦକ୍ଷତା ହାସଲ କରିଥିବା ଏହି ଓଡ଼ିଆ ଅଧିକାରୀ କେନ୍ଦ୍ର ସମବାୟ ମନ୍ତ୍ରଣାଳୟରେ ମନ୍ତ୍ରୀ ଅମିତ୍ ଶାହାଙ୍କ ଓଏସଡି ଭାବେ କାର୍ଯ୍ୟ କରିଥିଲେ ।
କଟକରେ ଜନ୍ମିତ ଡ. ତ୍ରିପାଠୀ ରେଭେନସା କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ପାସ୍ କରିଛନ୍ତି । ମଧୁସୂଦନ ଆଇନ କଲେଜରୁ ଏଲଏଲବି ଏବଂ ଆଇଆଇଟି ଦିଲ୍ଲୀରୁ ମ୍ୟାନେଜମେଣ୍ଟରେ ପିଏଚଡି ମଧ୍ୟ ହାସଲ କରିଛନ୍ତି । ୧୯୯୭ ମସିହାରେ ଅନୁଷ୍ଠିତ ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସେ ତୃତୀୟ ରାଙ୍କ ହାସଲ କରିଥିଲେ । ୧୯୯୯ ମସିହାରେ ଇଣ୍ଡିଆନ୍ ଇକୋନମିକ୍ ସର୍ଭିସ୍(ଆଇଇଏସ୍) ପରୀକ୍ଷାରେ ମଧ୍ୟ ତାଙ୍କର ସ୍ଥାନ ଥିଲା ତୃତୀୟ । ସେଠାରେ ଯୋଗଦେବା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରିଥିଲେ ।
କୃଷି, ସମବାୟ ତଥା ଗ୍ରାମ୍ୟ ବିକାଶ କ୍ଷେତ୍ରରେ ଜଣେ ନୀତି ନିର୍ଦ୍ଧାରକ ଏବଂ ଡାଟା ଆନାଲିଷ୍ଟ ଭାବେ ଡ. ତ୍ରିପାଠୀ ବିଶେଷ ଜଣାଶୁଣା । ତାଙ୍କର ୮୩ ରୁ ଅଧିକ ଗବେଷଣାମୂଳକ ସନ୍ଦର୍ଭ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରେ ତାଙ୍କର ଯୋଗଦାନ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଆଣି ଦେଇଛି ।