ଭୁବନେଶ୍ୱର: ବିଧାନସଭା ବାହାରେ ଆଜି ରାତିରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ବିଶୃଙ୍ଖଳିତ ଆଚରଣ ପାଇଁ ବିଧାନସଭାରୁ ନିଲମ୍ବିତ ୧୨ କଂଗ୍ରେସ ବିଧାୟକଙ୍କ ସୁରକ୍ଷା ପାଇଁ ଦଳର ୫ ଜଣ ବରିଷ୍ଠ ନେତା ଭିତରକୁ ଯିବାକୁ ଚାହିଁଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଛାଡ଼ି ନ ଥିଲା । ଏହାକୁ ନେଇ ବିଧାନସଭା ଗେଟ୍ ପାଖରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା କଂଗ୍ରେସ କର୍ମୀମାନଙ୍କୁ ପୁଲିସ ଠେଲାପେଲା କରିବାରୁ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନା, ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ବରିଷ୍ଠ ନେତା ଶରତ ରାଉତ ବିଧାନସଭା ଲବିକୁ ଯିବାକୁ ଚାହିଁଥିଲେ । ସେମାନଙ୍କର ବିଧାୟକମାନେ ଭିତରେ ଅସୁରକ୍ଷିତ ଥିବାରୁ ସେମାନଙ୍କୁ ଦେଖା କରିବାକୁ ଚାହାନ୍ତି ବୋଲି କହିଥିଲେ । ମାତ୍ର ସୁରକ୍ଷା କର୍ମୀ ଏହି ବରିଷ୍ଠ ନେତାମାନଙ୍କୁ ଭିତରକୁ ଛାଡ଼ି ନ ଥିଲେ । ଏହାକୁ ନେଇ ଉପସ୍ଥିତ କଂଗ୍ରେସ କର୍ମୀମାନେ ଉତ୍ତେଜିତ ହୋଇ ପଡ଼ିଥିଲେ । ପୁଲିସ ସହ ସେମାନଙ୍କର ମୁହାମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା ।
ପ୍ରତିବାଦରେ କଂଗ୍ରେସ କର୍ମୀମାନେ ଧାରଣାରେ ବସିଥିଲେ । ଏହା ସତ୍ତ୍ୱେ ପୁଲିସ ବରିଷ୍ଠ ନେତାମାନଙ୍କୁ ଭିତରକୁ ଛାଡ଼ି ନ ଥିଲା ।