ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଇତିହାସରେ ବିରଳ ଘଟଣା । ଯାହା ବିଧାନସଭା ଗୃହରେ ଦେଖିବା କଥା, ତାହା ବିଧାନସଭା ବାହାର ରାଜରାସ୍ତାରେ ଦେଖିବାକୁ ମିଳିଲା । ନିଲମ୍ବିତ କଂଗ୍ରେସ ବିଧାୟକମାନଙ୍କୁ ପୁଲିସ ବିଧାନସଭା ଭିତରେ ପୂରେଇ ଦେଉ ନ ଥିଲା ବେଳେ ସରକାରଙ୍କ ଉପରୁ ଆସ୍ଥା ତୁଟାଇ ବିଧାନସଭା ଆସନ ଛାଡ଼ି ଦେଇଥିଲେ ବିଜେଡି ବିଧାୟକମାନେ । ନିଲମ୍ବିତ କଂଗ୍ରେସ ବିଧାୟକମାନେ ବିଧାନସଭା ବ୍ୟାରିକେଟ୍ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରୁଥିଲା ବେଳେ ବିଜେଡି ବିଧାୟକମାନେ ବ୍ୟାରିକେଟ୍ ଭାଙ୍ଗି ବାହାରକୁ ଚାଲି ଆସିଥିଲେ । ଏହି ଦୁଇଟି ଘଟଣାରେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀମାନଙ୍କ ସହ ବିଧାୟକମାନଙ୍କର ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଲା । ବିଧାୟକ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଉଚ୍ଚବାଚ ଆଉ ଠେଲାପେଲା ଦୃଶ୍ୟ ସାଧାରଣ ପାଲଟିଗଲା । ସେପଟେ ଆଉ ଦୁଇ କଂଗ୍ରେସ ବିଧାୟକ ତାରା ବାହିନୀପତି ଏବଂ ରମେଶ ଜେନାଙ୍କୁ ବାଚସ୍ପତି ଗୃହରୁ ନିଲମ୍ବନ କରିବା ପରେ ବିରୋଧୀଶୂନ୍ୟ ହୋଇଯାଇଥିଲା ଓଡ଼ିଶା ବିଧାନସଭା ।
ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାକୁ ବିଧାନସଭା ଗୃହ କମିଟି ଗଠନ ଦାବିରେ ଅଟଳ ରହିଛି କଂଗ୍ରେସ । ଗୃହରେ ଘଣ୍ଟ, ଝାଞ୍ଜି, ଗିନି ବଜାଇ କଂଗ୍ରେସ ବିଧାୟକମାନେ ଏହି ଦାବି ଜଣାଉଥିବା ବେଳେ ସରକାରୀ ଦଳ ଏବଂ ବାଚସ୍ପତି ଏହାକୁ ବିଶୃଙ୍ଖଳିତ ଆଚରଣ ଭାବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହା ପରେ କାଲିଠାରୁ ବିଧାନସଭା ଭିତର ଓ ବାହାର ପଡୁଛି, ଉଠୁଛି ।
ବାଚସ୍ପତିଙ୍କ ନିଲମ୍ବନ ଅଦେଶକୁ ଗତକାଲି କଂଗ୍ରେସ ବିଧାୟକମମାନେ ମାନି ନ ଥିଲେ କି ଗୃହ ଛାଡ଼ି ନ ଥିଲେ । ସେମାନଙ୍କୁ ବାହାର କରିବାକୁ ମାର୍ଶାଲ୍ ଲଗାଯାଇଥିଲା । ବିଧାୟକମାନଙ୍କୁ ମାର୍ଶାଲ ବଳପୂର୍ବକ ବାହାରକୁ ଆଣିଲା ବେଳେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମଙ୍କର ହାତ ଫାଟି ଯାଇଥିଲା । ସେମାନଙ୍କୁ ବଳପ୍ରୟୋଗ ବାହାର କରାଯିବା ପ୍ରତିବାଦରେ ୧୨ ଜଣ ଯାକ ବିଧାୟକ ବାହାରେ ଧାରଣାରେ ବସିଥିଲେ ।
ଏହି ଘଟଣା ପ୍ରଚାରିତ ହେବା ପରେ ବିଳମ୍ବିତ ରାତିରେ ପିସିସି ସଭାପତି ଭକ୍ତ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା, ବରିଷ୍ଠ ନେତା ନରସିଂହ ମିଶ୍ର, ଶରତ ରାଉତ ପ୍ରମୁଖ ବିଧାନସଭାରେ ବିଧାୟକମାନଙ୍କୁ ଭେଟିବାକୁ ଚାହିଁଥିଲେ । ମାତ୍ର ସେମାନଙ୍କୁ ସୁରକ୍ଷାକର୍ମୀ ଅଟକାଇଥିଲା । ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ଅନ୍ୟପକ୍ଷରେ ବିଧାନସଭା ପରିସରରେ ଧାରଣାରେ ବସିଥିବା କଂଗ୍ରେସ ବିଧାୟକମାନଙ୍କୁ ଏକ ବସ୍ ରେ ବସାଇ ଅଧାରାତିରେ କଂଗ୍ରେସ ଭବନ ସମ୍ମୁଖରେ ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ମାଷ୍ଟରକ୍ୟା୍ଟିନ୍ ଛକ ରାସ୍ତା ଉପରେ ରାତି କଟାଇଥିଲେ ।
ଆଜି ସକାଳୁ ବିଧାନସଭା ଆରମ୍ଭ ପୂର୍ବରୁ କଂଗ୍ରେସ ବିଧାୟକମାନେ ଭିତରକୁ ଯିବାକୁ ଉଦ୍ୟମ କରିଥିଲେ । ମାତ୍ର ଗେଟ୍ ପାଖରେ ସୁରକ୍ଷା କର୍ମୀମାନେ ସମସ୍ତଙ୍କୁ ଅଟକାଇଥିଲେ, କାହାରିକୁ ଛାଡ଼ି ନ ଥିଲେ । କଂଗ୍ରେସ ବିଧାୟକମାନେ ବ୍ୟାରିକେଟ୍ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରିବାରୁ ସୁରକ୍ଷାକର୍ମୀଙ୍କ ସହ ମୁହାମୁହଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଠିକ୍ ସେତିକି ବେଳେ ବିଧାନସଭାରୁ କକ୍ଷତ୍ୟାଗ କରିଥିବା ବିଜେଡି ବିଧାୟକମାନେ ଅରୁଣ ସାହୁଙ୍କ ନେତୃତ୍ୱରେ ବାହାରକୁ ଆସିବାକୁ ଉଦ୍ୟତ ହୋଇଥିଲେ । ଏସସି, ଏସଟି ଏବଂ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣକୁ ପ୍ରସଙ୍ଗ କରିଥିବା ଦଳର ବିଧାୟକମାନେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ । ତେବେ ବିଧାନସଭା ଗେଟ୍ ରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବାହାରକୁ ନ ଛାଡ଼ିବାରୁ ଠେଲାପେଲା ହୋଇଥିଲା । ବିଜେଡି ବିଧାୟକମାନେ ବ୍ୟାରିକେଟ୍ ଭାଙ୍ଗି ବାହାରକୁ ଆସିଥିଲେ ଏବଂ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାଖୁ ଚାଲି ଚାଲି ଯାଇ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଧାରଣାରେ ବସିଥିଲେ ।
ବିଧାନସଭା ବାହାରେ ବିରୋଧୀ ଦଳଙ୍କର ନାରାବାଜି ଚାଲିଥିଲା ବେଳେ ବିରୋଧୀଶୂନ୍ୟ ଗୃହର କାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା । ସେତିକି ବେଳେ ନିଲମ୍ବନରୁ ବର୍ତ୍ତିଥିବା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ରମେଶ ଜେନା ବିଧାନସଭାରେ ପଶିବାକୁ ଚାହିଁବାରୁ ସେମାନଙ୍କୁ ଅନୁମତି ମିଳିଥିଲା । ତେବେ ସେମାନେ ଗୃହକୁ ଯାଇ ପୂର୍ବଭଳି ଘଣ୍ଟ, ଝାଞ୍ଜ ବଜାଇ ଗୃହ କମିଟି ଦାବି ରଖିଥିଲେ । ବାଚସ୍ପତିଙ୍କ ବାରମ୍ବାର ନିବେଦନକୁ ସେମାନେ ନ ଶୁଣିବାରୁ ଦୁଇଜଣଙ୍କୁ ସାତ ଦିନ ପାଇଁ ଗୃହ କାର୍ଯ୍ୟରୁ ଅନ୍ତର କରାଯାଇଛି ।
ରାଜ୍ୟ ସରକାରଙ୍କ ମନମାନି ତଥା ବିଧାୟକମାନଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରି କଂଗ୍ରେସ ପକ୍ଷରୁ ଏକ ପ୍ରେସ୍ ମିଟ୍ କରାଯାଇଛି । ପିସିସି ସଭାପତି ଭକ୍ତ ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ବିରୋଧୀ ଦଳର ନେତା ନରସିଂହ ମିଶ୍ର ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବାଚସ୍ପତିଙ୍କ ପଦକ୍ଷେପ ଅଗଣତାନ୍ତ୍ରିକ କହି ନିନ୍ଦା କରିଥିଲେ । ସମୁଦାୟ ଘଟଣାରେ ଗଣତନ୍ତ୍ରର ହତ୍ୟା କରାଯାଇଛି । ଏହା ଉଚିତ୍ ଜବାବ ଦିଆଯିବ ବୋଲି କୁହାଯାଇଛି । ସେହିଭଳି ବିଜେଡି ମଧ୍ୟ ଘଟଣାକୁ ନିନ୍ଦା କରିଛି । ରାଜ୍ୟ ସରକାରଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟ ବିରୋଧରେ ଆନେ୍ଦାଳନ ହେବ ବୋଲି ଚେତାବନୀ ଦିଆଯାଇଛି ।