ଭୁବନେଶ୍ୱର: ଶିଳ୍ପବିହୀନ କେନ୍ଦ୍ରାପଡ଼ା ପାଇଁ ଖୁସି ଖବର । ରାଜ୍ୟ ସରକାରଙ୍କ ଆଗ୍ରହକ୍ରମେ ମିତ୍ତଲ ଗ୍ରୁପ୍ ଏଠାରେ ପୁଞ୍ଜିନିବେଶ ପାଇଁ ଆଗେଇ ଆସିଛି । ଜିଲ୍ଲାରେ ୧୨ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ୍ ପ୍ଲାଣ୍ଟ (କମ୍ପ୍ଲେକ୍ସ) ସ୍ଥାପନ କରିବ । ଆର୍ସେଲର୍ ମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏହାର ଏମଓୟୁ ସ୍ୱାକ୍ଷରିତ ହୋଇଛି । ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମିତ୍ତଲ ଗ୍ରୁପ୍ ଅଧ୍ୟକ୍ଷ ଏଲ.ଏନ. ମିତ୍ତଲଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।
ଦେଶର ସର୍ବବୃହତ୍ତ ଇସ୍ପାତ କମ୍ପାନୀ ଆର୍ସେଲର୍ ମିତ୍ତଲର ଏହି ମେଗା ପ୍ରକଳ୍ପ ରାଜ୍ୟର ଶିଳ୍ପାୟନକୁ ଆଉ ଏକ ପାଦ ଆଗକୁ ନେଇଛି । ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଏହା ବରଦାନ ସଦୃଶ ହୋଇଛି । ଏହି ବୃହତ୍ତ ପୁଞ୍ଜିନିବେଶ ଜିଲ୍ଲାରେ ବ୍ୟାପକ କର୍ମନିଯୁକ୍ତିର ସୁଯୋଗ ଆଣିବ । ରାଜ୍ୟ ସରକାର ତ୍ୱରିତ ବେଗରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।








