ଭୁବନେଶ୍ୱର: ବିଜେଡ଼ି ସାଂଗଠନିକ ସମ୍ପାଦକ ଦାୟିତ୍ୱରେ ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସଙ୍କ ବର୍ଷଟିଏ ପୂରିଛି । ଗତବର୍ଷ ବିଜୁବାବୁଙ୍କ ପବିତ୍ର ଜନ୍ମିତିଥି ତଥା ବିଜେଡ଼ି ସରକାରର ୨୦ ବର୍ଷ ପୂର୍ତ୍ତି ଅବସରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥିଲେ । ଏଇ ବର୍ଷକ ଭିତରେ ବିଜେଡ଼ି ସଂଗଠନକୁ ସୁଦୃଢ଼ କରିବାରେ ବବି ଯେ କେବଳ ସଫଳ ହୋଇଛନ୍ତି ତାହା ନୁହେଁ, ବିରୋଧୀ ଦଳର ଗୋଟିଚାଳନାକୁ ମାତ୍ ଦେବାରେ ତାଙ୍କର ଦକ୍ଷତାକୁ ମଧ୍ୟ ଦଳୀୟ ମହଲରେ ପ୍ରଶଂସା କରାଯାଇଛି ।
୨୦୧୯ ସାଧାରଣ ନିର୍ବାଚନ ପରିଚାଳନାରେ ବବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ପରେ ପରେ ବିଜେପୁର ଓ ପାଟକୁରା ଉପନିର୍ବାଚନରେ ବିଜେଡ଼ିର ବିପୁଳ ସଫଳତା ପଛରେ ତାଙ୍କର ଏକ ବଡ଼ ଭୂମିକା ଥିଲା । ସାଂଗଠନିକ ସମ୍ପାଦକ ଦାୟିତ୍ୱ ନେବା ପରେ ବାଲେଶ୍ୱର ଓ ତିର୍ତ୍ତୋଲ୍ ଉପନିର୍ବାଚନ ତାଙ୍କ ପାଇଁ ଥିଲା ବଡ଼ ଚାଲେଂଜ । ଆଉ ଏହି ଚାଲେଂଜକୁ ସହଜରେ ପାର୍ କରିବା ପଛରେ ଥିଲା ବବିଙ୍କର ଅକ୍ଲାନ୍ତ ପରିଶ୍ରମ ଓ ବିଚକ୍ଷଣ ରଣନୀତି ।
ବାଲେଶ୍ୱରରେ ବିଜେପିର ଅନୁକମ୍ପା ହାସଲ ଲକ୍ଷ୍ୟକୁ ଭଣ୍ଡୁର କରିବା ଏବଂ ତିର୍ତ୍ତୋଲ୍ ରେ ଗତଥରଠାରୁ ଅଧିକ ଭୋଟ ହାସଲ କରି ବିଜେଡ଼ି ନିଜର ପତିଆରାକୁ ଦ୍ୱିଗୁଣିତ କରିଥିଲା । ଦୁଇଟି ଯାକ ଆସନରେ ନବୀନ ପଟ୍ଟନାୟକଙ୍କ ସେନାପତି ସାଜି ଦଳକୁ ବିଜୟର ମୁକୁଟ ପିନ୍ଧାଇବାରେ ବବିଙ୍କ ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥିଲା । ଶତ୍ରୁପକ୍ଷକୁ ଦମନ କୋ÷ଶଳରେ ବବିଙ୍କ ପାରଙ୍ଗମତାକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହୋଇଥିଲା ।
ବିରୋଧୀ ଶିବିରର କେଉଁ ନେତା ବିଜେଡ଼ି ପାଇଁ ଆସେଟ୍ ହୋଇପାରିବେ, ଦଳର କେଉଁ ନେତାଙ୍କୁ କେଉଁ ଜାଗାରେ ନିୟୋଜିତ କଲେ ନିର୍ବାଚନା ପରିଚାଳନା ସହଜ ହେବ ତାହାର ମ୍ୟାପିଂ କରିଥିଲେ ବବି । ବାଲେଶ୍ୱରର ବିଜେପି ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବା ଓ ବିଜେପିର ସହାନୁଭୂତି ଭୋଟକୁ ଭାଙ୍ଗିବାରେ ତାଙ୍କର ଥିଲା ଗୋଟିଚାଳନା । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ବଳ, ବିଜେପିର ଦୃଢ଼ ସଂଗଠନ, ପ୍ରାର୍ଥୀଙ୍କ ସପକ୍ଷରେ ଅନୁକମ୍ପା ହାୱା ଓ ଦୃଢ଼ ପ୍ରଚାରକୁ ମୁକାବିଲା ସହ ଦଳ ଭିତରେ ଦୁଇ ପରଷ୍ପର ବିରୋଧୀ ରବୀନ୍ଦ୍ର ଜେନା ଏବଂ ଜୀବନ ପ୍ରଦୀପ ଦାଶ ଗୋଷ୍ଠୀଙ୍କୁ ଦୁଇ କାନ୍ଧରେ ବୋହି ନିର୍ବାଚନ ଲଢ଼ିବା କାଠିକର ପାଠ ହୋଇଥିଲେ ମଧ୍ୟ ବିଜେଡ଼ି ତାହାକୁ ଅଚିରେ ପାର୍ କରିଥିଲା । ନବୀନଙ୍କ ଲୋକପ୍ରିୟତା ଓ ବବିଙ୍କ ସାଂଗଠନିକ ପରିଚାଳନା ଯୋଗୁଁ ଏହା ସମ୍ଭବ ହୋଇଥିଲା ।
ସେହିଭଳି ତିର୍ତ୍ତୋଲ୍ ଆସନକୁ ବଜାୟ ରଖିବା ବିଜେଡ଼ି ପାଇଁ ସହଜ ନଥିଲା । ବିଜେଡ଼ିର ଦୁଇଗୋଷ୍ଠୀଙ୍କୁ ମନାଇବା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦୁଇ ଥର ପ୍ରଚାର କରିବା, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରୋଡ୍ ସୋ ଏବଂ ସର୍ବୋପରି କଂଗ୍ରେସର ଶକ୍ତିବୃଦ୍ଧିର ସାମନା କରିବା ବିଜେଡ଼ି ପାଇଁ ଚାଲେଂଜକର ଥିଲା । ମାତ୍ର ଏହି ପ୍ରତିକୂଳ ପରିସ୍ଥିତିକୁ ସାମନା କରି ଦଳୀୟ ପ୍ରାର୍ଥୀଙ୍କୁ ଗତଥର ଠାରୁ ଅଧିକ ଭୋଟ ବ୍ୟବଧାନରେ ଜିତାଇବାରେ ବବିଙ୍କ ରଣନୀତି ଥିଲା ।
ବବିଙ୍କୁ ସାଂଗଠନିକ ନେତୃତ୍ୱ ମିଳିଥିବାରୁ ବରିଷ୍ଠ ନେତାଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିବା ପ୍ରଥମେ କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହା ଭୁଲ୍ ପ୍ରମାଣିତ ହୋଇଥିଲା । ବବିଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଦକ୍ଷତାରେ ବରିଷ୍ଠ ନେତାମାନେ ଓଲଟି ଖୁସି ହୋଇ ସହଯୋଗ କରୁଥିବା ଦେଖିବାକୁ ମିଳିଲା । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଏବଂ ରାଉରକେଲା ଗସ୍ତକୁ ସଫଳ କରିବାରେ ବବିଙ୍କ ଟିମ୍ ର ଅକ୍ଲାନ୍ତ ପରିଶ୍ରମ ବିରୋଧୀ ଦଳଙ୍କୁ ବି ତାଜୁବ କରିଥିଲା ।
ଇତିମଧ୍ୟରେ ଦଳର ଛାମୁଆ ସଂଗଠନଗୁଡ଼ିକୁ ଅଧିକ ସକ୍ରିୟ କରିବାରେ ବବି ଦିନରାତି ପରିଶ୍ରମ କରୁଛନ୍ତି । ନିଜେ ସବୁ ଅଞ୍ଚଳ ଗସ୍ତ କରି ଯୁବ, ଛାତ୍ର ଓ ମହିଳା ସଂଗଠନକୁ କ୍ରିୟାଶୀଳ କରାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି, ଆଦର୍ଶରେ କର୍ମୀଙ୍କୁ ବାଟ ଚଲାଇବା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ତାଙ୍କର ପ୍ରାଥମିକତା ହୋଇଛି ବୋଲି ଦଳର ଅନେକ ବରିଷ୍ଠ ନେତା ସ୍ୱୀକାର କରିଛନ୍ତି ।
ନିଜର କାର୍ଯ୍ୟଶୈଳୀ ପାଇଁ ମୁଖିଆଙ୍କ ବିଶ୍ୱାସଭାଜନ ହୋଇସାରିଥିବାରୁ ନେତା ଓ କର୍ମୀଙ୍କ ଉପରେ ଅଖଣ୍ଡ ପ୍ରଭାବ ବିସ୍ତାର କରିବାରେ ବବି ଆଜି ବେଶ୍ ସଫଳ । ବିଜେଡ଼ିର ଯୋଜନାକୁ ସରକାରୀସ୍ତରରେ କାର୍ଯ୍ୟକାରୀ କରିବା ଦାୟିତ୍ୱ ମଧ୍ୟ ତାଙ୍କ ହାତରେ । ଦଳ ଓ ସରକାର ମଧ୍ୟରେ ସମନ୍ୱୟ ରଖିବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ଗୁରୁ ଦାୟିତ୍ୱ ତୁଲାଇବାରେ ବବିଙ୍କର ନିଷ୍ଠାପର ଉଦ୍ୟମକୁ ରାଜନୈତିକ ପର୍ଯ୍ୟବେକ୍ଷକମହଲରେ ପ୍ରଶଂସା କରାଯାଉଛି ।