ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୧୩ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି । ଆମେରିକାର ପ୍ରତିଷ୍ଠିତ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏହି ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ୧୩ ଗବେଷକ ଅଛନ୍ତି ।
୨୦୨୦ରେ ଷ୍ଟାନଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୧୧ ଜଣ ଗବେଷକ ସ୍ଥାନ ପାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ଗବେଷକ ପୁଣି ଚଳିତବର୍ଷ ଏହି ତାଲିକାରେ ନିଜ ସ୍ଥାନ ବଜାୟ ରଖିପାରିଛନ୍ତି । ସେମାନଙ୍କ ସହିତ ୨୦୨୧ ତାଲିକାରେ ସୋଆର ଅନ୍ୟ ୪ ଜଣ ଗବେଷକ ଡଃ ମନୋହର ମିଶ୍ର, ଡଃ ରାଜଶ୍ରୀ ଦାଶ, ଡଃ ଅକ୍ଷୟ କୁମାର ପାତ୍ର ଏବଂ ଡଃ ସୁଲଗ୍ନା ପଟ୍ଟନାୟକ ପ୍ରଥମ ଥର ପାଇଁ ସ୍ଥାନିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।
ଡଃ ମିଶ୍ର ଏବଂ ଡଃ ଦାଶ ଆଇଟିଇଆର୍ ରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡଃ ପାତ୍ର ସେହି ଅନୁଷ୍ଠାନରେ ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି । ସେହିପରି ଡଃ ପଟ୍ଟନାୟକ ଆଇଟିଇଆର୍ର ପୂର୍ବତନ ରିସର୍ଚ୍ଚ ସ୍କଲାର୍ ।
ପୁନର୍ବାର ଏହି ତାଲିକାରେ ସ୍ଥାନ ପାଇଥିବା ସୋଆର ଗବେଷକମାନେ ହେଲେ ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ବର୍ତମାନ ସୋଆ କୁଳପତି ଭାବେ କାର୍ଯ୍ୟରତ ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ପ୍ରଫେସର (ଡଃ) ପ୍ରଦୀପ୍ତ କିଶୋର ଦାଶ, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ଆର.ଏନ୍.ପି. ଚୌଧୁରୀ, ପ୍ରଫେସର ଗୌତମ ରଥ, ପ୍ରଫେସର ନିହାରବାଳା ଦେବୀ, ଡଃ ମନୋଜ କୁମାର ନାୟକ ଏବଂ ଡଃ ସତ୍ୟ ରଞ୍ଜନ ମିଶ୍ର ।
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜ ନାୟକ ଗୁରୁବାର ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଏହି ଗବେଷକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସଫଳତା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି । ବିଶ୍ୱବିଦ୍ୟାଳୟ ଆପଣମାନଙ୍କ ପାଇଁ ଗର୍ବିତ ବୋଲି ପ୍ରଫେସର ନାୟକ କହିଛନ୍ତି ।