ଭୁବନେଶ୍ୱର: ୧୬ତମ ନିଯୁକ୍ତି ମେଳାରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱର ରେଳ ଅଡିଟୋରିଅମ ଠାରେ ଆୟୋଜିତ ଏହି ନିଯୁକ୍ତିମେଳା କାର୍ଯ୍ୟକ୍ରମରେ ୯ଟି ବିଭାଗରେ ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୩୬୪ ଜଣ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୬୧ ଜଣ କନିଷ୍ଠ ଯନ୍ତ୍ରୀ, ଶକ୍ତି ବିଭାଗ ଓ ଓଏଚପିସିରେ ୧୨ ଜଣ କନିଷ୍ଠ ଯନ୍ତ୍ରୀ ଓ ୨୨୮ ଟ୍ରେନି, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୮ ଜଣ ସହକାରୀ କୃଷି ଅଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୧୧ ଜଣ ସହକାରୀ ପ୍ରାଧ୍ୟାପକ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରେ ୧୫ ଜଣ କନିଷ୍ଠ ଯନ୍ତ୍ରୀ ଓ ୭୧ ଜଣ ପ୍ରାଣିଧନ ନିରିକ୍ଷକ, କ୍ରୀଡା ବିଭାଗରେ ୨୬ ଜଣ ଜୁନିଅର କୋଚ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୦ ଜଣ ପ୍ରଶିକ୍ଷକ ଏବଂ ଅବକାରୀ ବିଭାଗରେ ୧୦ ଜଣ ଉପ-ନିରିକ୍ଷକଙ୍କୁ ନିଯୁକ୍ତି ମିଳିଛି।
ନବନିଯୁକ୍ତଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ , ସରକାରୀ ଚାକିରିର ମୂଳ ଲକ୍ଷ୍ୟ ହେଉଛି ଜନସେବା । ଲୋକଙ୍କ ସମସ୍ୟା ଓ ଅଭିଯୋଗର ସମୟବଦ୍ଧ ସମାଧାନ କରିବା ଆପଣମାନଙ୍କର ନୈତିକ କର୍ତ୍ତବ୍ୟ। କୌଣସି ଲୋକ ଯେତେବେଳେ କିଛି ସମସ୍ୟା ନେଇ ଆପଣଙ୍କ ପାଖକୁ ଆସିବେ, ସେତେବେଳେ ପ୍ରଶାସନର ଅଂଶ ଭାବେ ସମ୍ମାନ ଦେଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ତୁରନ୍ତ ପଦକ୍ଷେପ ନେବା ହିଁ ପ୍ରକୃତ ଜନସେବା। ଆମର ଲକ୍ଷ୍ୟ ହେଉଛି ସମାଜର ଶେଷ ଧାଡିରେ ଥିବା ଲୋକ ପାଖରେ ସମସ୍ତ ସରକାରୀ ସୁବିଧା ପହଞ୍ଚାଇବା। ଏହାକୁ ମନରେ ରଖି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଓଡିଶାରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ନିଯୁକ୍ତି ଅଭିଯାନ ଆରମ୍ଭ ହୋଇଛି। ୨୦୨୪ ଜୁନ୍ ମାସରୁ ଆଜି ସୁଦ୍ଧା ସରକାରୀ ସ୍ତରରେ ୪୫ ହଜାର ୪୦୮ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଗଲାଣି। ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୨୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି ଏବଂ ଏଥିରୁ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପଞ୍ଚାୟତିରାଜ ଓ ପାନୀୟଜଳ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ନବନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇ ଓଡିଶା ମାଟିର ସେବା ଓ ଉନ୍ନତି ପାଇଁ ଉତ୍ସର୍ଗୀକୃତ ଭାବେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ। ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ଗୋକୁଳାନନ୍ଦ ମଲ୍ଲିକ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଗିରୀଶ ଏସ୍.ଏନ୍ ଧନ୍ୟବାଦ ଅର୍ପଣ କରିଥିଲେ।