ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା, ତାହା ସତ ହେଲା । ଓଡ଼ିଶାରେ ପଶିଛି କରୋନାର ଓମିକ୍ରନ୍ତ ଭାରିଏଣ୍ଟ । ଦୁଇଜଣ ବିଦେଶୀ ଫେରନ୍ତା ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନସ୍(ଆଇଏଲଏସ୍) ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଫେରନ୍ତା ଏବଂ ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ଅନ୍ୟଜଣଙ୍କ କତାର ଫେରନ୍ତା ଏବଂ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ । ଉଭୟ ଆଇସୋଲେସନ୍ ରେ ଅଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ।
ଗତ ସପ୍ତାହରେ ବିଦେଶରୁ ଓଡ଼ିଶା ଫେରିଥିବା ୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଇଏଲସିରେ ଜିନମ୍ ସିକ୍ୱେଏନ୍ସିଂରୁ ସଂପୃକ୍ତ ଦୁଇଜଣଙ୍କଠାରେ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହୋଇଛନ୍ତି । ନାଇଜେରିଆ ଫେରନ୍ତା ବ୍ୟକ୍ତିଜଣଙ୍କ ବିଦେଶରୁ ଫେରିବା ପରେ କଟକ ଦୋଳମୁଣ୍ଡାଇ ଅଞ୍ଚଳର ଏକ ହୋଟେଲରେ ଆଇସୋଲେସନ୍ ରେ ରହିଥିଲେ । ୫ ଦିନ ତଳେ ତାଙ୍କର ପଜିଟିଭ୍ ରିପୋର୍ଟ ଆସିବା ପରେ ଚିକିତ୍ସା ପାଇଁ ଅଶ୍ୱିନୀ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ଇତିମଧ୍ୟରେ ସେ ସୁସ୍ଥ ହୋଇସାରିଥିବା ଜଣାପଡ଼ିଛି ।
ଆଶ୍ୱସ୍ତିର କଥା ଯେ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଇତିମଧ୍ୟରେ କୋଭିଡ୍ ଟେଷ୍ଟ ହୋଇସାରିଛି ଏବଂ ସମସ୍ତଙ୍କର ନେଗେଟିଭ୍ ରିପୋର୍ଟ ଆସିଛି । ଏପରିକି ଦୋଳମୁଣ୍ଡାଇସ୍ଥିତ ହୋଟେଲରେ ଏକାଠି ରହୁଥିବା ତାଙ୍କର ଜଣେ ସମ୍ପର୍କୀୟ ଏବଂ ହୋଟେଲ କର୍ମଚାରୀମାନେ ମଧ୍ୟ ସଂକ୍ରମିତ ହୋଇନାହାନ୍ତି ।
ଅନ୍ୟପକ୍ଷରେ ଓମିକ୍ରନ୍ ଆକ୍ରାନ୍ତ କତାର ଫେରନ୍ତାଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ତାଙ୍କର ସ୍ଥାସ୍ଥ୍ୟାବସ୍ଥା କିନ୍ତୁ ଭଲ ଥିବା ଜଣାପଡ଼ିଛି ।
ଇତିମଧ୍ୟରେ ଦେଶରେ ଓମିକ୍ରନ୍ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ଆଜିସୁଦ୍ଧା ୨୦୦ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଲେଣି । ଓମିକ୍ରନ୍ ର ପ୍ରଭାବ ସେଭଳି ଗୁରୁତର ନ ଥିବା ବିଶେଷଜ୍ଞମାନେ କହୁଥିଲେ ମଧ୍ୟ ସଂକ୍ରମଣ ହାରକୁ ନେଇ ଚିନ୍ତା ବଢ଼ଇଛି । ସଂକ୍ରମଣ ସଂଖ୍ୟା ଦୁଇ ତିନି ଦିନରେ ଦ୍ୱିଗୁଣିତ ହେଉଛି । ଜନଗହଳିକୁ ଏଡ଼ାଇବା ସହ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କଲେ ଯାଇ ନିଜକୁ ସୁରକ୍ଷିତ ରଖାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।