ଭୁବନେଶ୍ୱର: ମହାନଦୀ ଉପରେ ସବୁଠାରୁ ଦୀର୍ଘତମ ସେତୁ ଆଜି ଉଦଘାଟିତ ହୋଇଛି । ବଡ଼ମ୍ବା ଗୋପୀନାଥପୁରଠାରେ ଏହି ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ସେତୁର ଆକାର ଇଂରାଜୀ ‘ଟି’ ଅକ୍ଷର ସଦୃଶ । ଏହା ରାଜ୍ୟର ପ୍ରଥମ ଟି ସେତୁ ।
୩.୪ କିଲୋମିଟର ଦୀର୍ଘ ଏହି ସେତୁ ମହାନଦୀ ଦୁଇପଟେ ଥିବା ବୈଦ୍ୟେଶ୍ୱର ବାଙ୍କୀ-ବଡ଼ମ୍ବା-ନରସିଂହପୁର ଏବଂ ନଦୀ ଅବସ୍ଥିତ ସିଂହନାଥ ମନ୍ଦିରକୁ ସଂଯୋଗ କରୁଛି । ଏହାଦ୍ୱାରା ବଡ଼ମ୍ବାରୁ ବାଙ୍କୀ ବୈଦ୍ୟେଶ୍ୱରର ଦୂରତ୍ୱ ୪୫ କିଲୋମିଟର ହ୍ରାସ ପାଇବ । ନିକଟସ୍ଥ ଅଞ୍ଚଳର ୫ ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କ ଗମନାଗମନରେ ସୁବିଧା ହେବା ସହ କୃଷି, ବାଣିଜ୍ୟ ଏବଂ ପର୍ଯ୍ୟଟନର ବିକାଶ ହେବ ।
୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ଏହି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେତୁ ନିର୍ମାଣରେ ୧୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ସେତୁ ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ । ଏହା ସାକାର ହୋଇଥିବାରୁ ବିପୁଳ ଉତ୍ସାହ ସୃଷ୍ଟି ହୋଇଛି ।
ଉଦଘାଟନ କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଏବଂ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।