ଭୁୁବନେଶ୍ୱର: ଅପହଞ୍ଚ ଅଞ୍ଚଳର ଗୁରୁତର ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି । ଉନ୍ନତ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ଘରଦ୍ୱାର ବନ୍ଧା ପକାଇ ଆଉ କଟକ କି ଭୁବନେଶ୍ୱର ଆସିବାକୁ ପଡ଼ିବନି । ବରଂ ଏଠାରୁ ବିଶେଷଜ୍ଞ ଡାକ୍ତର ହେଲିକପ୍ଟରରେ ସେମାନଙ୍କ ଜିଲ୍ଲା ଚିକିତ୍ସାଳୟକୁ ଯାଇ ଉକ୍ରୃଷ୍ଟ ଚିକିତ୍ସା ସେବା ଯୋଗାଇଦେବେ । ଏଥିପାଇଁ ରାଜ୍ୟ ସରକାର ସବୁ ଖର୍ଚ୍ଚ ବହନ କରିବେ ।
‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ ନାମରେ ଏହି ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଚାରିଟି ଆଦିବାସୀବହୁଳ ଜିଲ୍ଲା ଯଥା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡିରେ ଏହା ଆରମ୍ଭ ହୋଇଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକ ଡାକ୍ତରୀ ଦଳକୁ ନେଇ ମାଲକାନଗିରିକୁ ପ୍ରଥମ ବିମାନ ଉଡ଼ାଣ କରିଥିଲା ।
ଏହି ଯୋଜନାରେ ଜଣେ ଗୁରୁତର ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ତାଙ୍କର କେଉଁ କେଉଁ ବିଶେଷଜ୍ଞ ଚିକିତ୍ସା ଆବଶ୍ୟକ ତାହାର ତାଲିକା ପ୍ରସ୍ତୁତ କରାଯିବ । ଏହି ଅନୁଯାୟୀ ବିଶେଷଜ୍ଞ ଡାକ୍ତରଙ୍କୁ ତୁରନ୍ତ ହେଲିକପ୍ଟରରେ ସେଠାକୁ ପଠାଯାଇ ଆବଶ୍ୟକ ଚିକିତ୍ସା କରାଯିବ । ଏଥିପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସୁପର ସ୍ପେଶାଲିଟି ସେବା ସୁବିଧା ସହ ଅତ୍ୟାଧୁନିକ ଓଟି, ସରଞ୍ଜାମ ଏବଂ ଆବଶ୍ୟକ ଔଷଧ ମହଜୁଦ ରଖାଇବାର ବ୍ୟବସ୍ଥା ହୋଇଛି ।
ବିିଶେଷଜ୍ଞ ଡାକ୍ତରୀ ଟିମ୍ ରେ ବିିଭିନ୍ନ ମେଡ଼ିକାଲ କଲେଜ ଏବଂ କର୍ପୋରେଟ୍ ହସ୍ପିଟାଲ୍ ର ଦକ୍ଷ ଓ ସ୍ୱନାମଧନ୍ୟ ଡାକ୍ତରମାନଙ୍କୁ ରଖାଯାଇଛି । ଜିଲ୍ଲା ଡାକ୍ତରଖାନାକୁ ଯାଇ ହୃଦରୋଗୀ, ସ୍ନାୟୁରୋଗୀ ଓ କିଡ଼ନୀ ରୋଗୀଙ୍କ ଭଳି ସୁପର ସ୍ପେଶାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା ଏମାନେ କରିବେ । ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ।
ଏହି ସେବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ଏହାଦ୍ୱାରା ୪ଟି ଜିଲ୍ଲାର ଗରିବ ଜନସାଧାରଣ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଆଶାପ୍ରକାଶ କରିଛନ୍ତି ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।