ଭୁବନେଶ୍ୱର: ଭୁବନେଶ୍ୱର ନାଇଜର କ୍ୟାମ୍ପସ୍ ରେ ୨୦୦ ଶଯ୍ୟା ବିଶିଷ୍ଟ ଏକ କ୍ୟାନସର ହସ୍ପିଟାଲ୍ ସ୍ଥାପନ ହେବ । ଆଣବିକ ଶକ୍ତି ବିଭାଗ ଅଧୀନରେ ଥିବା ମୁମ୍ବାଇର ଟାଟା ମେମୋରିଆଲ୍ ସେଣ୍ଟର ପକ୍ଷରୁ ସ୍ଥାପନ ହେବାକୁ ଥିବା ଏହି ହସ୍ପିଟାଲ୍ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇବେ । ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ଏଥିପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଲୋକସେବା ଭବନର କନଭେନସନ୍ ହଲ୍ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।
ଏହି ୨୦୦ ଶଯ୍ୟାର ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ୍ ନିର୍ମାଣ ପାଇଁ ୬୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଆଣବିକ ଶକ୍ତି ବିଭାଗ ୪୦୦ କୋଟି ଟଙ୍କା ଦେବାକୁ ଥିବା ବେଳେ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବ । ବର୍ତ୍ତମାନ ପାଇଁ ନାଇଜର ୧୭ ଏକର ଜମି ଦେବ । ପରବର୍ତ୍ତୀ ସମୟରେ ଏହାର ସମ୍ପ୍ରସାରଣ ବେଳେ ରାଜ୍ୟ ସରକାର ଆଉ ୪୦ ଏକର ଜମି ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଜାଗାରେ ଏକ ସାଇକ୍ଲୋଟ୍ରନ୍, ଷ୍ଟାମ୍ପ୍ କ୍ୱାର୍ଟର୍ସ, ଟାଉନସିପ୍, ଏକାଡେମିକ୍ ବ୍ଲକ୍, ରୋଗୀ ସହାୟକଙ୍କ ପାଇଁ ବିଶ୍ରାମସ୍ଥଳ ଏବଂ ଧର୍ମଶାଳା ନିର୍ମାଣ ହେବ ।
ବଡ଼କଥା ହେଉଛି, ଏହି କ୍ୟାନସର ହସ୍ପିଟାଲ୍ ରେ ରାଜ୍ୟର ରୋଗୀମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ପାଇପାରିବେ । ଏଥିପାଇଁ ରାଜ୍ୟ ସରକାର ଏହାକୁ ବିଏସକେୱାଇ ପ୍ୟାନେଲଭୁକ୍ତ କରିବେ । କ୍ୟାମ୍ପସ୍ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଆହାର କେନ୍ଦ୍ର ମଧ୍ୟ ଖୋଲାଯିବ ।
କେବଳ ଚିକିତ୍ସା ସୁବିଧା ନୁହେଁ, ଏହି କେନ୍ଦ୍ରରେ କ୍ୟାନସର ଗବେଷଣା ମଧ୍ୟ ଚାଲିବ । କ୍ୟାନସର ରୋଗୀଙ୍କ ଯତ୍ନ ଏବଂ ରୋଗର ନିୟନ୍ତ୍ରଣ ପାଇଁ ଏହି କେନ୍ଦ୍ର କାର୍ଯ୍ୟ କରିବ । ସେବା, ଶିକ୍ଷା ଏବଂ ଗବେଷଣା ଏହି ହସ୍ପିଟାଲ୍ ର ମୁଖ୍ୟ ନୀତି ହେବ ବୋଲି କୁହାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । କେନ୍ଦ୍ର ସରକାରଙ୍କ ଆଣବିକ ଶକ୍ତି ବିଭାଗ ଏବଂ ନାଇଜରର ସହଯୋଗ ଓ ସମର୍ଥନ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି । ଲୋକଙ୍କ ସେବାରେ ଘରୋଇ, ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ଗବେଷଣା ପ୍ରତିଷ୍ଠାନର ଏହଭଳି ମିଳିତ ସହଯୋଗ ଏକ ସୁନ୍ଦର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଉଦାହରଣ କେବଳ ଓଡ଼ିଶାର ରୋଗୀ ନୁହଁନ୍ତି, ବାହାର ରାଜ୍ୟର ରୋଗୀମାନେ ମଧ୍ୟ ଏଠାରୁ ଉପକୃତ ହେବେ । ରୋଗୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଗୋଟିଏ ସାଇକ୍ଲୋଟ୍ରନ ମେସିନ୍ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଟାଟା ମେମୋରିଆଲ୍ ସେଣ୍ଟରର ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ବଦ୍ୱି ମଧ୍ୟ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ।
ସୂଚନାଥାଉକି, ଓଡ଼ିଶାରେ ପ୍ରତିବର୍ଷ ୪୦ ହଜାର ନୂଆ କ୍ୟାନସର ରୋଗୀ ଚିହ୍ନଟ ହେଉଥିବା ବେଳେ ୧୮ ହଜାର ରୋଗୀ ମୃତ୍ୟୁବରଣ କରୁଛନ୍ତି । ଓଡ଼ିଶା କମ୍ପ୍ରେହେନସିଭ୍ କ୍ୟାନସର କେୟାର ପ୍ରୋଗ୍ରାମ(ଓସିସିପି) ଅଧୀନରେ ୧୧ଟି ଜିଲ୍ଲାରେ ଥିବା ମେଡିକାଲ୍ କଲେଜ ଏବଂ ଜିଲ୍ଲା ହସ୍ପିଟାଲ୍ ଗୁଡ଼ିକରେ ୫୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ୍ ସ୍ଥାପନ ହେବାକୁ ଯାଉଛି ।
Continue Reading