ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କ୍ଷମତା ଦଖଲ ପାଇଁ ରାଜ୍ୟ ବିଜେପି ପକ୍ଷରୁ ସମରସଜ୍ଜା । ନବ ନିଯୁକ୍ତ ପ୍ରଭାରୀ ସୁନିଲ ବଂଶଲଙ୍କ ପ୍ରଥମ ବୈଠକରେ ଆଜି ତିନି ମାସର ଖସଡ଼ା ପ୍ରସ୍ତୁତ ହୋଇଛି । ବୁଥ୍ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ଉପରେ ଅଧିକ ଫୋକସ୍ ଦିଆଯାଇଛି । ଏଥିସହ କେନ୍ଦ୍ର ସରକାରଙ୍କ ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ଦଳ ଲୋକଙ୍କ ପାଖରେ ପହଞ୍ଚାଇବ । ଆସନ୍ତା ୧୩, ୧୪ ଏବଂ ୧୫ ତାରିଖରେ ପୁରୀଠାରେ ଏଥିପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଆସନ୍ତା ୨୯ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ।
ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଶ୍ରୀ ବଂଶଲ ଆଜି ମାରାଥନ୍ ବୈଠକରେ ଯୋଗଦେଇଥିଲେ । ଦିନ ୧୦ଟାରେ ପ୍ରଥମେ କୋର୍ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହାପରେ ପଦାଧିକାରୀଙ୍କ ବୈଠକ ହୋଇଥିଲା । ଶେଷରେ ବିଧାୟକ ଓ ସାଂସଦମାନଙ୍କୁ ଭେଟି ଆଲୋଚନା କରିଥିଲେ ବଂଶଲ । ଏହିସବୁ ବୈଠକରେ ଆଗାମୀ ତିନି ମାସ ପାଇଁ ଦଳର ରଣନୀତି ପ୍ରସ୍ତୁତ ହୋଇଥିଲା ।
ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ବୈଠକରେ ୩ ମାସ ପାଇଁ ଦଳର ଖସଡ଼ା ପ୍ରସ୍ତୁତ ହୋଇଛି । ୩୭ ହଜାର ବୁଥ୍ କୁ ସଶକ୍ତ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିପାଇଁ ପୁରୀଠାରେ ଆସନ୍ତା ୧୩ ତାରିଖଠାରୁ ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ୨୯ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ସେ କହିଛନ୍ତି ।