ଭୁବନେଶ୍ୱର: କୃଷିର ଆଧୁନିକୀକରଣରେ ଯେଉଁ କେତୋଟି ଦିଗ ବାସ୍ତବିକ କୃଷି ବିଜ୍ଞାନର ଦିଗବଳୟକୁ ପରିବର୍ତିତ କରିଛି ସେଥିମଧ୍ୟରୁ କୃତ୍ରିମ ବୁଦ୍ଧିମତା ଓ ସ୍ମାର୍ଟ ଏଗ୍ରିକଲଚର ପ୍ରମୁଖ । ଜୀବନ ଓ ଜୀବିକା ସହିତ କୃତ୍ରିମ ବୁଦ୍ଧିମତା ଅଙ୍ଗାଙ୍ଗୀ ଭାବେ ଯୋଡ଼ି ହେବା ପରେ କୃଷି ବିଜ୍ଞାନରେ ବି ପ୍ରଭାବ ବିସ୍ତାର କରିସାରିଛି । ଅବଶ୍ୟ ଏଥିପାଇଁ ଅନେକ ବିଷୟରେ ସରଳୀକରଣ ହେଉଛି । ସ୍ମାର୍ଟ ଏଗି୍ରକଲଚରର ରୂପାୟନ ଦେଶ ପାଇଁ ଶୁଭଙ୍କର ହୋଇଛି ।
ଏମିତି କିଛି ତତ୍ୱପୂର୍ଣ୍ଣ ଓ ମହତ୍ୱପୂର୍ଣ୍ଣ କଥା କହିଛନ୍ତି ଭାରତର ପ୍ରଖ୍ୟାତ ବିଜ୍ଞାନୀ ପ୍ରଫେସର ଡ. ସୁଧିନ୍ଦ୍ର ନାଥ ପଣ୍ଡା । ସୋଆ ଇନ୍ଷ୍ଟିଚୁ୍ୟଟ ଅଫ୍ ଏଗି୍ରକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ରେ ବିଂଶତମ ଏମ.ଏସ. ସ୍ୱାମୀନାଥନ ବକ୍ତୃତାମାଳାରେ ମୁଖ୍ୟ ଆଲୋଚକ ଓ ବକ୍ତା ଭାବେ ଯୋଗ ଦେଇ ପ୍ରଫେସର ପଣ୍ଡା ଭାରତୀୟ କୃଷି ବିଜ୍ଞାନ ଧାରାରେ କୃତ୍ରିମ ବୁଦ୍ଧିମତାର ସ୍ଥିତି ଓ ସ୍ମାର୍ଟ ଏଗ୍ରିକଲଚର ବିଷୟରେ ସବିଶେଷ ଆଲୋଚନା କରିଥିଲେ ।
ଆଇଏଏସର ଡିନ ପ୍ରଫେସର ସନ୍ତୋଷ କୁମାର ରାଉତ ଏହି ଆଲୋଚନାରେ ଅଧ୍ୟକ୍ଷତା କରି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ବିଶେଷ କରି ଆଇଏଏସରେ ଅନୁଷ୍ଠିତ ହେଉଥିବା ଭିନ୍ନ ଭିନ୍ନ ଉନ୍ନତିମୂଳକ ଓ ବୈଜ୍ଞାନିକ ଆଲୋଚନା ବିଷୟରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ଖ୍ୟାତନାମା ବିଜ୍ଞାନୀ ଡ. ୟୁ ସି ମହାନ୍ତି ଉପସ୍ଥିତ ଥିଲେ ।
ଆୟୋଜିତ ବକ୍ତୃତାମାଳାର ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ଧନ୍ୟବାଦ୍ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବକ୍ତୃତାମାଳାର ସଂଯୋଜକ ଡ଼. ରାଜୀବ କୁମାର ବେହେରା ଉତ୍ସବ ସଂଯୋଜନା କରିଥିଲେ । ଏଥିରେ ସବୁ ବିଭାଗର ମୁଖ୍ୟ, ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।