ଭୁବନେଶ୍ୱର: ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୯ତମ ପାଳି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସକାଳେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ୬ଜଣ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତିଟି ଅଭିଯୋଗର ସ୍ଥିତି ଉପରେ ନିୟମିତ ନଜର ରଖାଯାଉଛି। ରାଜ୍ୟସ୍ତର ଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ବ୍ୟବସ୍ଥାର ତଦାରଖ କରାଯାଉଛି। ତେଣୁ, ସମାଧାନର ହାର ବୃଦ୍ଧି ପାଉଛି । ଏହାଦ୍ୱାରା ଏହି ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଭରସା ବୃଦ୍ଧି ପାଉଛି ।
ସୂଚନା ଅନୁଯାୟୀ , ପୂର୍ବରୁ ରାଜ୍ୟସ୍ତରରେ ଅନୁଷ୍ଠିତ ୧୮ଟି ପାଳିରେ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ୧୪,୯୪୧ ଅଭିଯୋଗ ମଧ୍ୟରୁ ୧୪,୩୩୧ ଅର୍ଥାତ ୯୬ ପ୍ରତିଶତ ଅଭିଯୋଗର ସଫଳ ସମାଧାନ କରାଯାଇସାରିଛି।
ଏଥି ସହିତ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସ୍.ପି ମାନେ ନିୟମିତ ଭାବେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁଥିବା ବେଳେ ତହସିଲ ଓ ବ୍ଲକ ସ୍ତରରେ ମଧ୍ୟ ଅଭିଯୋଗ ଶୁଣାଣି ନିୟମିତ ରୂପେ ଚାଲିଛି। ଜିଲ୍ଲାସ୍ତରରେ ଜୁନ୍ ମାସ ଶେଷ ସୁଦ୍ଧା ୨,୫୯,୨୧୩ ଅଭିଯୋଗ ଶୁଣାଣି ହୋଇ ୮୯ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି।
ଏହା ଦ୍ୱାରା ସାଧାରଣ ଲୋକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣାଣି ପାଇଁ ଆଉ ପୂର୍ବ ଭଳି ବିଶେଷ ହଇରାଣ ହରକତ ହେଉନାହାନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କ ଭିତରେ ଏକ ବଡ ପ୍ରଭାବ ପକାଇଛି ଓ ସରକାରଙ୍କ ଉପରେ ସାଧାରଣ ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି ବୋଲି ମୁଖ୍ୟାମନ୍ତ୍ରୀଙ୍କ ଅଫିସ ପକ୍ଷରୁ କୁହାଯାଇଛି l
ସବୁଥର ପରି ଆଜି ମୁଖ୍ୟମନ୍ତ୍ରୀ ସକାଳେ ପ୍ରଥମେ ଆସି ବାହାରେ ଅପେକ୍ଷା କରିଥିବା ଦିବ୍ୟାଙ୍ଗ ଓ ଦୂରାରୋଗ୍ୟରେ ପୀଡ଼ିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ। ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରକୋଷ୍ଠ ଭିତରେ ପଞ୍ଜିକୃତ କରିଥିବା ଅଭିଯୋଗକାରୀ ମାନଙ୍କ ଅଭିଯୋଗ ଶୁଣିଥିଲେ।
ବିଭିନ୍ନ ଦୁରାରୋଗ୍ୟ ରୋଗରେ ପୀଡ଼ିତ ପ୍ରାୟ ୧୨ ଜଣଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ୬.୧୫ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ରାଶି ମଞ୍ଜୁର କରିଛନ୍ତି।
ଆଜି ଉଭୟ ଅନ୍ଲାଇନ ଓ ଅଫ୍ଲାଇନ ଜରିଆରେ ୭୦୦ରୁ ଉର୍ଦ୍ଧ୍ୱ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି।
ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୁଷଣ ଜେନା, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।
ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏବଂ ଅନ୍ୟ ବିଭାଗ ଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ ।