ଭୁବନେଶ୍ୱର: ସିଙ୍ଗାପୁରରୁ ଆରମ୍ଭ କରି ଦୁବାଇ ପର୍ଯ୍ୟନ୍ତ ଗତ ଦୁଇ ବର୍ଷରେ ଓଡ଼ିଶାକୁ ଆସିଲାଣି ୨୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ । ପୂର୍ବରୁ ୨୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ପ୍ରସ୍ତାବ ଥିଲା । ୟୁଏଇରୁ ୨ ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି । ୫ ଦିନିଆ ୟୁଏଇ ଗସ୍ତ ସାରି ଆଜି ଭୁବନେଶ୍ୱର ଫେରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି, ଏହି ୟୁଏଇ ଗସ୍ତ ଗତ ଦୁଇବର୍ଷ ଧରି ସରକାରଙ୍କ ଶିଳ୍ପାୟନ ଅଭିଯାନରେ ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ୨୦୨୫ ଜାନୁୟାରୀରେ ଭୁବନେଶ୍ୱରରେ ଅନୁଷ୍ଠିତ ‘ଉତ୍କର୍ଷ ଓଡ଼ିଶା – ମେକ ଇନ ଓଡ଼ିଶା କନକ୍ଲେଭ’ ପରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଗୁଜରାଟ ଠାରୁ ଆରମ୍ଭ କରି ସିଙ୍ଗାପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ଗସ୍ତ କରି ପୁଞ୍ଜି ଯୋଗାଡ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ଏକ ସମର୍ପିତ ଟିମ୍ ନିରବିଚ୍ଛିନ୍ନ ଉଦ୍ୟମ ଜାରି ରଖିଛନ୍ତି | ଏହି ଉଦ୍ୟମ ଦ୍ୱାରା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହା ଗୋଟିଏ ଗୋଟିଏ ମାଇଲଖୁଣ୍ଟ ଭାବେ ପରିଗଣିତ ହେଉଛି ।
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଏବଂ ଆସନ୍ତା ଦଶ ବର୍ଷ ମଧ୍ୟରେ ରାଜ୍ୟକୁ ୫୦୦ ବିଲିଅନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଶିକ୍ଷିତ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି। ଏଥିପାଇଁ ଆଗାମୀ ଦିନରେ ପ୍ରତିଷ୍ଠିତ ହେବାକୁ ଥିବା କାରଖାନା ଓ ଅଫିସଗୁଡ଼ିକ ପାଇଁ ଯୁବବର୍ଗଙ୍କୁ ନିଯୁକ୍ତି-ପ୍ରସ୍ତୁତ କରିବାକୁ ଆବଶ୍ୟକୀୟ ଦକ୍ଷତା ଟ୍ରେନିଂ ଦିଆଯାଉଛି। ପ୍ରାରମ୍ଭିକ ସ୍ତରରେ ସଫଳତା ମିଳିବା ପରେ ସରକାରଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଏହିସବୁ ନିବେଶ ପ୍ରସ୍ତାବ ଓ ଏଓୟୁ ଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରି ଉତ୍ପାଦନ ଆରମ୍ଭ କରିବା, ଯାହା ଆଗାମୀ ଦିନରେ ରାଜ୍ୟରେ ନିଯୁକ୍ତିର ଏକ ବଡ଼ ସୁଯୋଗ ସୃଷ୍ଟି କରିବ। ରାଜ୍ୟର ଯୁବପିଢ଼ିଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ସରକାର ନିଜର ସର୍ବାଧିକ ସାମର୍ଥ୍ୟର ଉପଯୋଗ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୮ରୁ ୧୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ କାଳରେ ୯, ୧୦ ଓ ୧୧ ତାରିଖ— ତିନି ଦିନ ଧରି ଆବୁଧାବି ଏବଂ ଦୁବାଇରେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା । ସମୁଦାୟ ୫୨ଟି ବିଜନେସ ମିଟିଙ୍ଗ୍, ୬ଟି ରାଉଣ୍ଡଟେବୁଲ ମିଟିଙ୍ଗ୍, ୪୬ଟି ୱାନ୍-ଟୁ-ୱାନ୍ ମିଟିଙ୍ଗ୍ ସହ ପ୍ରାୟ ୪୦୦ ଶିଳ୍ପ ନେତୃତ୍ୱ ଓ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଥିଲା । ଏହି ଗସ୍ତ କାଳରେ ସମୁଦାୟ ୮ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସହ ୧୬ଟି ନିବେଶ ସମ୍ଭାବନା ସୃଷ୍ଟି ହୋଇଛି, ଯାହାଦ୍ୱାରା ରାଜ୍ୟକୁ ୨ ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଛି। ଏହାଦ୍ୱାରା ୬ ଲକ୍ଷ ୧୮ ହଜାର ୭୨୫ ପ୍ରତ୍ୟକ୍ଷ ସୁଯୋଗ ସୃଷ୍ଟି ହେବ। ପରୋକ୍ଷ ନିଯୁକ୍ତି ସହ ସମୁଦାୟ ପ୍ରାୟ ୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
କେବଳ ପ୍ରଚାର ସର୍ବସ୍ୱ: ବିଜେଡି
ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ମୂଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତକୁ ଜୋରଦାର ପ୍ରଚାର ପ୍ରସାର ହେଉଛି । ବିଜ୍ଞାପନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ତେବେ ଖର୍ଚ୍ଚ ଅନୂଯାୟୀ ଓଡ଼ିଶାକୁ ସମପରିମାଣର ପୁଞ୍ଜି ଆସିବକି ନାହିଁ, ବିଜେଡି ପକ୍ଷରୁ ପ୍ରଶ୍ନ କରାଯାଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଡ.ଲେନିନ ମହାନ୍ତି ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ୟୁଏଇ ଗସ୍ତ ସମ୍ପୂର୍ଣ୍ଣ କରି ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଓଡ଼ିଶାରେ ଅନେକ ପୁଞ୍ଜି ନିବେଶ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚାର ପ୍ରସାର ଜୋରଦାର ହେଉଛି । ଦୈନିକ ଖବରକାଗଜ ମାନଙ୍କରେ ବଡ଼ ବଡ଼ ବିଜ୍ଞାପନ ଜରିଆରେ ପ୍ରଥମ ପୃଷ୍ଠା ମଣ୍ଡନ କରି ପ୍ରଚାର ପ୍ରସାର ହେଉଥିବା ବେଳେ ବିଜେଡି ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନ ବାବଦରେ ରାଜ୍ୟ ସରକାର ଚୁପ ରହିଛନ୍ତି କଣ ପାଇଁ । ଆଦାନୀ ଗ୍ରୁପ୍ ଓ ଆଇଏଚଏସ ସହିତ ଏମ୍ଓୟୁ ସ୍ୱାକ୍ଷର କରିବା ପାଇଁ ମୁଖ୍ୟମନ୍ତ୍ରୀ ୟୁଏଇ ଗସ୍ତରେ ଯାଇଥିଲେ । ତାହା ପୂର୍ବରୁ ଉତ୍କର୍ଷ ଓଡ଼ିଶା-୨୦୨୫ରେ ଏମ୍ଓୟୁ ସ୍ୱାକ୍ଷରିତ ହେବାର ଅଂଶ ବିଶେଷ । ତେବେ ଉକ୍ତ ଦୁଇଟି ଏମ୍ଓୟୁ ସ୍ୱାକ୍ଷର କରିବା ମଧ୍ୟରେ ସାମଞ୍ଜସ୍ୟ କଣ ରହିଛି ବୋଲି ବିଜେଡି ପକ୍ଷରୁ ପ୍ରଶ୍ନ କରାଯାଇଛି । ଭାରତର ଗୋଟିଏ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷର କରିବା ପାଇଁ ଦେଶ ବାହାରକୁ ଯିବାର କାରଣ କଣ ବୋଲି ବିଜେଡି ପ୍ରଶ୍ନ କରିଛି । ଚୁକ୍ତିରେ କଣ ନୂଆ ଓ କଣ ସବୁ ପୁରୁଣା ତଥ୍ୟ ରହିଛି । ତାହାକୁ ସର୍ବସାଧାରଣରେ ବିବୃତ୍ତି ପ୍ରଦାନ କରିବାର ଆବଶ୍ୟକତା ରହିଛି । ଡବଲ ଇଞ୍ଜିନ ସରକାର ଏନେଇ ସତ ସାହାସର ସହିତ ସମ୍ପୂର୍ଣ୍ଣ ତଥ୍ୟର ବିବୃତ୍ତି ସର୍ବସାଧାରଣରେ ପ୍ରଦାନ କରନ୍ତୁ । ବିଜ୍ଞାପନ ଜରିଆରେ ରାଜକୋଷର ଅର୍ଥର ଅପବ୍ୟୟ କରନ୍ତୁ ନାହିଁ ବୋଲି ଡ. ମହାନ୍ତି କହିଛନ୍ତି ।
ଏକ ନିଷ୍ଠୁର ପ୍ରତାରଣା:କଂଗ୍ରେସ
ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚଦିନିଆ ୟୁଏଇ ଗସ୍ତ ପୁଞ୍ଜିନିବେଶ ଆଣିବା ପାଇଁ ଥିଲା ନା ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଘରୋଇ କମ୍ପାନୀଙ୍କ ହାତରେ ଟେକି ଦେବା ପାଇଁ? ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ସୁଦର୍ଶନ ଦାସ ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତକୁ ନେଇ ସରକାରଙ୍କ ପ୍ରଚାରକୁ “ଏକ ନିଷ୍ଠୁର ପ୍ରତାରଣା” ବୋଲି ଅଭିହିତ କରିଛନ୍ତି।
ଏହି ପ୍ରଶ୍ନ ଅଧିକ ଗୁରୁତ୍ୱ ପାଇଛି ୟୁଏଇରେ ଆଇଏଚସି–ଆଦାନୀ ପ୍ରସ୍ତାବକୁ ନେଇ। ପ୍ରାୟ ୨.୧୦ ଲକ୍ଷ କୋଟି ଟଙ୍କାର ୧୪ଟି ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟରେ ଲୁହାପଥର ପ୍ରକ୍ରିୟାକରଣ, ପେଲେଟାଇଜେସନ୍, ଗୁରୁତ୍ୱପୂର୍ଣ୍ଣ ଖଣିଜ ଓ ଦୁର୍ଲଭ ମୃତ୍ତିକା ଖଣିଜ, କୋଇଲାରୁ ରାସାୟନିକ ଉତ୍ପାଦନ, ପେଟ୍ରୋକେମିକାଲ୍, ଖଣିଜ ବ୍ୟବସାୟ ଓ ବନ୍ଦର ସମ୍ପର୍କିତ ପ୍ରକଳ୍ପ ରହିଛି। ୫,୦୦୦ କୋଟି ଟଙ୍କାର କ୍ରିଟିକାଲ୍ ମିନେରାଲ୍ସ ପାର୍କ ଓ ରେୟାର୍ ଆର୍ଥ କରିଡର୍ ଏବଂ ୨୫,୦୦୦ କୋଟି ଟଙ୍କାର ଲୁହାପଥର ପ୍ରକ୍ରିୟାକରଣ ଶୃଙ୍ଖଳ ଏହାର ପ୍ରମୁଖ ଅଂଶ। ଏହି ପ୍ରସ୍ତାବଗୁଡ଼ିକ ଓଡ଼ିଶାର ଖଣିଜ ସମ୍ପଦ ସହ ସିଧାସଳଖ ଜଡ଼ିତ। ଏପଟେ ସରକାର ଖଣିଜ ବ୍ଲକ୍ ନିଲାମ କରୁଛନ୍ତି, ଅନ୍ୟପଟେ ଖଣିଜ ଭିତ୍ତିକ ବିଶାଳ ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସୁଛି। ତେଣୁ ସରକାର ସ୍ପଷ୍ଟ କରିବା ଆବଶ୍ୟକ—ଏହି ପ୍ରକଳ୍ପଗୁଡ଼ିକୁ ଓଡ଼ିଶାର ଖଣିଜ ସମ୍ପଦ ଓ ଖଣି ଲିଜ୍ରେ କେଉଁ ପ୍ରକାର ସୁବିଧା ଦିଆଯିବ ଏବଂ ଓଡ଼ିଶା ଏଥିରୁ କ’ଣ ଲାଭ ପାଇବ?
ଶ୍ରୀ ଦାସ କହିଛନ୍ତି, ୟୁଏଇରେ ଘୋଷିତ ୨.୪୩ ଲକ୍ଷ କୋଟି ଟଙ୍କା ବାସ୍ତବ ପୁଞ୍ଜିନିବେଶ ନୁହେଁ, ଏହା ପୁଞ୍ଜିନିବେଶ ପ୍ରତିଶ୍ରୁତି। ତେଣୁ ଏହାକୁ ନେଇ ଅତିରଞ୍ଜିତ ପ୍ରଚାର କରିବା ପରିବର୍ତ୍ତେ ଏହି ପ୍ରସ୍ତାବଗୁଡ଼ିକ ବାସ୍ତବରେ କେତେ କାର୍ଯ୍ୟକ୍ଷମ ହେବା ଓ ଓଡ଼ିଶାର ସ୍ୱାର୍ଥ କେତେ ସାଧିତ ହେବ ତାହା ସରକାର ସ୍ପଷ୍ଟ କରିବା ଆବଶ୍ୟକ। ଅନ୍ୟପକ୍ଷରେ ସରକାର ଏପର୍ଯ୍ୟନ୍ତ ୨୨.୫୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିଛନ୍ତି ବୋଲି ଦାବି କରୁଛନ୍ତି। ସିଙ୍ଗାପୁର, ଦିଲ୍ଲୀ, ମୁମ୍ବାଇ, ଗୁଜରାଟ ଆଦି ସ୍ଥାନରେ ପୁଞ୍ଜିନିବେଶ ପାଇଁ ହୋଇଥିବା ପ୍ରୟାସର ପ୍ରକୃତ ଫଳାଫଳ ମଧ୍ୟ ଓଡ଼ିଶାବାସୀ ଜାଣିବାର ଅଧିକାର ରଖନ୍ତି। ଏହା ଉପରେ ଶ୍ୱେତପତ୍ର ପ୍ରକାଶ କରିବାକୁ ସେ ଦାବି କରିଛନ୍ତି ।