ଭୁବନେଶ୍ୱର: ରାଜ୍ୟର ୩୯ ଜଣ କ୍ରୀଡ଼ାବିତ୍ ଙ୍କୁ ଓଡ଼ିଶା ପୁଲିସରେ ମିଳିଛି ନିଯୁକ୍ତି । ସେମାନଙ୍କ ମଧ୍ୟରୁ ୩୦ ଜଣ ହେଉଛନ୍ତି ମହିଳା । ବିଗତ ଦିନରେ ୬ ଟି ପର୍ଯ୍ୟାୟରେ ୯୬ ଜଣ କ୍ରୀଡ଼ାବିତ୍ ଙ୍କୁ ଓଡ଼ିଶା ପୁଲିସର ବିଭିନ୍ନ ପଦରେ ନିଯୁକ୍ତି ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆ ୩୯ ଜଣ କ୍ରୀଡ଼ାବିତ୍ ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।
ଭର୍ଚୁଆଲ୍ ପ୍ଲାଟଫର୍ମରେ ଆୟୋଜିତ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନୂଆ ନିଯୁକ୍ତିପ୍ରାପ୍ତ କ୍ରୀଡ଼ାବିତ୍ ଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆପଣମାନଙ୍କ ପାଇଁ ଏହା ବିଶେଷ ମୁହୁର୍ତ୍ତ ଏବଂ ଏହି ସଫଳତା ପାଇଁ ଆପଣଙ୍କ ବାପା ମା ଏବଂ ପରିବାର ଗର୍ବ ଅନୁଭବ କରୁଥିବେ । ପ୍ରତିବଦ୍ଧତା, ଶୃଙ୍ଖଳା ଏବଂ କଠିନ ପରିଶ୍ରମ ଆପଣମାନଙ୍କୁ ଏହି ଜାଗାରେ ପହଞ୍ଚାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହ ରାଜ୍ୟର କ୍ରୀଡ଼ାବିତ୍ ଏବଂ କ୍ରୀଡ଼ାପ୍ରେମୀମାନଙ୍କ ସ୍ୱପ୍ନକୁ ସାକାର କରିବାରେ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ଓ ସମର୍ଥନ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ଦିନରେ ଅନେକ ସଫଳ ଖେଳାଳୀ ସୃଷ୍ଟି କରାଯିବ ଏବଂ ରାଜ୍ୟ ଓ ଦେଶ ପାଇଁ ସେମାନେ ଗୌରବ ଆଣିବେ ବୋଲି କହିଥିଲେ ।
ଓଡ଼ିଶାକୁ କ୍ରୀଡ଼ାର ପାୱାରହାଉସ୍ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ସଂକଳ୍ପ ଦୋହରାଇଥିଲେ । ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ା ଭିତ୍ତିଭୂମି ର ସର୍ବାଙ୍ଗୀନ ଉନ୍ନତି ପାଇଁ ୧ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ୨୦୨୩ ବିଶ୍ୱକପ୍ ହକି ପାଇଁ ରାଉରକେଲାରେ ଭାରତର ସର୍ବବୃହତ୍ତମତ୍ତ ହକି ଷ୍ଟାଡିୟମ୍ ନିର୍ମାଣ କରାଯାଉଛି । ପ୍ରଖ୍ୟାତ୍ କ୍ରୀଡ଼ାବିତ୍ ଏବଂ କର୍ପୋରେଟ୍ ଅନୁଷ୍ଠାନ ସହଭାଗିତାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କ୍ରୀଡ଼ା ଉକ୍ରର୍ଷ କେନ୍ଦ୍ର ଖୋଲିବା ଯୋଜନା ହୋଇଛି । ସ୍କୁଲରେ କ୍ରୀଡ଼ା ଶିକ୍ଷା ଏବଂ କୋଚିଂ କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ସଫଳତା ମନେ ପକାଇଥିଲେ । ଗତ କେଇ ବର୍ଷ ଧରି ଦେଶର କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ସ୍ଥାନରେ ଅଛି । ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ଉତ୍ସବକୁ ଆମେ ସଫଳତାର ସହ ଆୟୋଜନ କରିଛୁ । ୨୦୧୮ ହକି ବିଶ୍ୱକପ ଏବଂ ୨୦୧୭ ଏସିଆନ୍ ଆଥଲେଟିକସ୍ ଚମ୍ପିଅନସିପ୍ ଆୟୋଜନରେ ଆମେ ବିରାଟ ସଫଳତା ପାଇଛୁ ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି.କେ.ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ନବନିଯୁକ୍ତ ପୁଲିସ କର୍ମଚାରୀଙ୍କ ସହ ସେ କଥାବାର୍ତ୍ତ କରି ସେମାନଙ୍କ କ୍ୟାରିୟରର ସଫଳତା କାମନା କରିଥିଲେ । ନିଜର ଦକ୍ଷତା ବଳରେ ସେମାନେ ରାଜ୍ୟ ପାଇଁ ଗୌରବ ଆଣିପାରିବେ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ ।
ପୁଲିସ ଡିଜି ଶ୍ରୀ ଅଭୟ ସ୍ୱାଗତ ଭାଷଣ ଦେଇଥିଲେ । କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମ୍ପ୍ରସାରିତ ଇ-ଏଫଆଇଆରର ଶୁଭାରମ୍ଭ କରିଥିଲେ । ଏହାଦ୍ୱାରା ସର୍ବସାଧାରଣ ଜାଗାରେ ଚେନ୍ ଲୁଟ୍, ଲାପଟପ୍ ଏବଂ ମୋବାଇଲ୍ ଚୋରି ଆଦି ମାମଲାରେ ଅଭିଯୋଗ କରିବାକୁ ଥାନାକୁ ଯିବାକୁ ପଡ଼ିବନି । ସେଇ ଜାଗାରୁ ମୋବାଇଲ୍ ରେ ଅଭିଯୋଗ କରାଯାଇପାରିବ ।