ଭୁବନେଶ୍ୱର: ରସୁଲଗଡ଼ ଓଭର ବ୍ରିଜ୍ ଉପରେ ସହଦେବ ନାୟକ ବିଭତ୍ସ ହତ୍ୟା ଘଟଣାରେ ଆଉ ଏକ ଦମ୍ପତ୍ତି ଗିରଫ ହୋଇଛନ୍ତି । ସେମାନେ ହେଲେ ରାକେଶ ନାୟକ ଓରଫ ଅଣ୍ଡା ଏବଂ ତାଙ୍କ ପତ୍ନୀ ଲକି ଓରଫ ଲକ୍ଷ୍ମୀ ନାୟକ । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକ, ତାଙ୍କ ପତ୍ନୀ ଲିପିକା ନାୟକ ଏବଂ ସହଯୋଗୀ ରକି ନାୟକଙ୍କୁ ପୁଲିସ ପୂର୍ବରୁ ଗିରଫ କରିଥିଲା । ଏମାନେ ସମସ୍ତେ କେଦାରପଲ୍ଲୀ ବସ୍ତିରେ ରହୁଥିଲେ ।
ଏହିଭଳି ଭାବେ ଏହି ବୀଭତ୍ସ ହତ୍ୟା ଘଟଣାରେ ଏବେ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ । ହତ୍ୟାକାଣ୍ଡରେ ଆଉ କିଛି ଲୋକଙ୍କର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଡିସିପିଙ୍କ ସୂଚନା ଅନୁଯାୟୀ, ଗତକାଲି ସକାଳ ୮ଟାରେ ଏହି ହତ୍ୟାକାଣ୍ଡ ଘଟିଥିଲା । ରସୁଲଗଡ଼ ଓଭରବ୍ରିଜ୍ ଉପରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ହାଣି ରକ୍ତାକ୍ତ କରିଥିବା ପୁଲିସକୁ ପ୍ରଥମେ ଖବର ମିଳିଥିଲା । ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ରାସ୍ତାରେ ଉପରେ ପଡ଼ିଥିବା କ୍ଷତାକ୍ତ ଯୁବକଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିଥିଲା । ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ୩ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଥିଲା । ଅଭିଯୁକ୍ତଙ୍କ ପିଛା କରି ପୁଲିସ ପ୍ରଥମେ ୩ ଜଣ ଏବଂ ପରେ ଆଉ ଦୁଇଜଣଙ୍କୁ ନୟାଗଡ଼ ଶରଣକୂଳରୁ ଉଠାଇ ଆଣିଥିଲା ।
ଆଜି ୩ ଅଭିଯୁକ୍ତଙ୍କୁ ଧରି ପୁଲିସ କ୍ରାଇମ୍ ସିନ୍ ରିକ୍ରିଏଟ୍ କରାଇଥିଲା । ରସୁଲଗଡ଼ ଓଭରବ୍ରିଜ୍ ଉପରେ ସେମାନେ ସହଦେବ ନାୟକଙ୍କୁ ହତ୍ୟା କଲା ପରେ ପୁରୀ ବାଇପାସ୍ ରାସ୍ତାରେ ଲିଙ୍ଗିପୁର ଦୟାନଦୀ କୂଳରେ ଅଟକିଥିଲେ । ନଦୀ ଭିତରକୁ ବ୍ୟାଗରେ ରଖିଥିବା ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଏବଂ ରକ୍ତଭିଜା ପୋଷାକୁ ଫିଙ୍ଗି ଦେଇ ଦୁଇଟି ମଟରସାଇକେଲରେ ନୟାଗଡ଼ ଶରଣକୂଳ ପଳାଇଥିଲେ । ଆଜି କ୍ରାଇମସିନ୍ ରିକ୍ରିଏସନ୍ ବେଳେ ଅଭିଯୁକ୍ତମାନେ ଦୟାନଦୀରେ ଫିଙ୍ଗିଥିବା ମାରଣାସ୍ତ୍ର ଏବଂ ପୋଷାକକୁ ବାହାର କରିଥିଲେ ।
ଅଭିଯୁକ୍ତମାନଙ୍କଠାରୁ ପୁଲିସ ଦୁଇଟି ମଟରସାଇକେଲ, ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର, ରକ୍ତଲଗା କପଡ଼ା, ୪ଟି ମୋବାଇଲ ଏବଂ ଦୁଇଟି ବ୍ୟାଗ୍ ଜବତ ହୋଇଛି ।
ପୁଲିସ ପାଇଁ ଏହା ହତ୍ୟାକାଣ୍ଡର ବଳିଷ୍ଠ ପ୍ରମାଣ ହୋଇଥିବା ଡିସିପି ଶ୍ରୀ ମିଶ୍ର କହିଛନ୍ତି । ସହଦେବଙ୍କ ସହ ପୂର୍ବ ଶତ୍ରୁତାରୁ ଅଭିଯୁକ୍ତମାନେ ହତ୍ୟା କରିଛନ୍ତି । ଏହି ଘଟଣାରେ ଆହୁରି କେତେଜଣଙ୍କର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି ଏବଂ ସମସ୍ତଙ୍କୁ ଧରାଯିବ ବୋଲି ଡିସିପି କହିଛନ୍ତି ।
ସେପଟେ ସହଦେବଙ୍କ ହତ୍ୟା ଘଟଣାରେ ସଫେଇ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି । ହତ୍ୟାକାଣ୍ଡ ପଛରେ ଅନେକ ଲୋକଙ୍କର ସଂପୃକ୍ତି ଥିବା ସେମାନେ କହିବା ସହ ସମସ୍ତଙ୍କ ଗିରଫ ଦାବି କରିଛନ୍ତି । ସହଦେବଙ୍କ ହତ୍ୟା ପ୍ରତିବାଦରେ ଆଜି ସମଗ୍ର ରାଜଧାନୀରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ସଂଧ୍ୟାରେ ସ୍ୱର୍ଗତ ସହଦେବଙ୍କ ସ୍ମୃତିରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।