ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆସନ୍ତାକାଲି ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ।
ଆଜି ସଂଧ୍ୟା ୮ଟା ୧୫ ମିନିଟ୍ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ରାଜ୍ୟପାଳ ଡ. ହରିବାକୁ କମ୍ବମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ବିଜେପିର ବରିଷ୍ଠ ନେତୃମଣ୍ଡଳୀ ତାଙ୍କୁ ସ୍ୱାଗତ କରିଥିଲେ । ବିଭିନ୍ନ ସାଂସ୍କୃତିକ ଦଳ ନାଚଗୀତ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ପ୍ରାୟ ୮ଟା ୩୦ ମିନିଟ୍ ରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ବିମାନବନ୍ଦରରୁ ରାଜଭବନ ଅଭିମୁଖେ ବାହାରିଥିଲା । ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରବଳ ଜନସମାଗମ ହୋଇଥିଲା । ଗାଡ଼ି ଭିତରୁ ପ୍ରଧାନମନ୍ତ୍ରୀ ହାତ ହଲାଇ ସମସ୍ତଙ୍କ ଅଭିବାଦନ ଗ୍ରହଣ କରିଥିଲେ । ରାତି ପ୍ରାୟ ୯ଟାରେ ପ୍ରଧାନମନ୍ତ୍ରୀ ରାଜଭବନରେ ପହଞ୍ଚିଥିଲେ । ଆଜି ସେଠାରେ ପ୍ରଧାନମନ୍ତ୍ରୀ ରାତ୍ରିଯାପନ କରିବେ ।