ବାଲେଶ୍ୱର/ଭୁବନେଶ୍ୱର: ଆଜି ଓଡିଶା ପାଇଁ ଏକ ଐତିହାସିକ ଦିବସ। ଆଜି ଠାରୁ ରାଜ୍ୟର କୌଣସି ଗୁରୁଜନ, ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଜନ କିମ୍ବା ଅସହାୟ ବ୍ୟକ୍ତି ଆଉ ସରକାରଙ୍କ ସହାୟତାରୁ ବଞ୍ଚିତ ହେବେ ନାହିଁ। ଆଜି ଠାରୁ ମଧୁବାବୁ ପେନସନ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ। ଅପେକ୍ଷାର ଯୁଗ ଶେଷ ହେଲା; ଆରମ୍ଭ ହେଲା ଆପଣମାନଙ୍କ ଅଧିକାରକୁ ସମ୍ମାନ ଦେବାର ଯୁଗ।” ଆଜି ବାଲେଶ୍ୱର ସ୍ଥିତ ରିଜର୍ଭ ପୋଲିସ ଲାଇନ ପଡ଼ିଆଠାରେ ଆୟୋଜିତ ମଧୁବାବୁ ପେନସନ ଯୋଜନାରେ ସାମାଜିକ ସୁରକ୍ଷା ଭତ୍ତା ସମ୍ପୂର୍ଣ୍ଣତାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରଙ୍କ ସମୟରେ ଉଭୟ ରାଜ୍ୟ ଓ ଜିଲ୍ଲା ପାଇଁ ଏକ ନିର୍ଦ୍ଦିଷ୍ଟ କୋଟା ବ୍ୟବସ୍ଥା ରହିଥିବାରୁ ପେନସନ ପାଉଥିବା ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ ପରେ ହିଁ ଅନ୍ୟ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ସ୍ଥାନ ମିଳୁଥିଲା। ଏହି ସମ୍ବେଦନହୀନ ଓ ଅମାନବୀୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମାପ୍ତ କରାଯାଇଛି। ଚଳିତ ବର୍ଷ ବଜେଟ୍ ପ୍ରତିଶୃତି ଅନୁଯାୟୀ ଆଜି ଆଉ ୫,୦୫,୮୧୭ ଜଣ ଯୋଗ୍ୟ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବା ଫଳରେ ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ୪୧, ୮୦, ୮୨୫କୁ ବୃଦ୍ଧି ପାଇଛି ଏବଂ ଏହି ଯୋଜନା ବର୍ତ୍ତମାନ ସମ୍ପୂର୍ଣ୍ଣ ସାଚୁରେଶନ ବା ସମ୍ପୂର୍ଣ୍ଣତା ହାସଲ କରିଛି । ୫ ଲକ୍ଷ ଅଧିକ ହିତାଧିକାରୀଙ୍କ ପାଇଁ ବର୍ଷକୁ ୬୨୫ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ ।
ଏହି ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ପୋର୍ଟାଲ ଉନ୍ମୋଚିତ କରିଥିଲେ । ଯୋଗ୍ୟ ବ୍ୟକ୍ତିମାନେ ଏହି ପୋର୍ଟାଲ ଜରିଆରେ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ର ଏବଂ ବିଡିଓ କାର୍ଯ୍ୟାଳୟ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ କରିଥିବା ପର ମାସଠାରୁ ନିୟମିତ ଭାବେ ଭତ୍ତା ମିଳିବ ଏବଂ ୮୦ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ବର୍ଦ୍ଧିତ ୩,୫୦୦ ଟଙ୍କା ପାଇଁ ପୁନର୍ବାର ଆବେଦନ କରିବାକୁ ପଡିବ ନାହିଁ, ବରଂ ବୟସସୀମା ପୂର୍ଣ୍ଣ ହେଲେ ଏହା ସ୍ୱୟଂକ୍ରିୟ ଭାବେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
ନୂତନ ହିତାଧିକାରୀମାନେ ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ଏକାଠି ପାଇବେ। ଜିଲ୍ଲା ସ୍ତରରେ ନଭେମ୍ବର ୧୧ ରୁ ୧୨ ଏବଂ ବ୍ଲକ ସ୍ତରରେ ନଭେମ୍ବର ୧୩ ରୁ ୧୪ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯେଉଁମାନେ ଏଥିରେ ପାଇବେ ନାହିଁ, ସେମାନେ ନଭେମ୍ବର ୨୫ ତାରିଖରେ ନିଜ ନିଜ ପଞ୍ଚାୟତ ବା ମୁନିସିପାଲିଟି କାର୍ଯ୍ୟାଳୟରୁ ନଗଦ ଭତ୍ତା ଗ୍ରହଣ କରିବେ ଏବଂ ଡିସେମ୍ବର ମାସଠାରୁ ପ୍ରତି ମାସର ୧୫ ତାରିଖରେ ନିୟମିତ ଭତ୍ତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ବାଲେଶ୍ୱର ଜିଲ୍ଲାରେ ପ୍ରାୟ ୩୪୦ କୋଟି ଟଙ୍କାର ୭୦ଟି ଉନ୍ନୟନମୂଳକ ପ୍ରକଳ୍ପର (୭୮ କୋଟି ଟଙ୍କାର ୨୮ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୨୬୨ କୋଟି ଟଙ୍କାର ୪୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର) ଶୁଭାରମ୍ଭ କରାଯାଇଛି।