ଭୁବନେଶ୍ୱର: ଚାକିରି ଆରମ୍ଭରୁ ଖତମ୍ ହୋଇଗଲା କ୍ୟାରିୟର୍ । ୭ ହଜାର ଟଙ୍କା ଲାଞ୍ଚ ତାଙ୍କ ଚାକିରି ଖାଇଦେଲା । ଯୁବ ଓଆରଏସ୍ ଅଫିସର ମନୀଷା ମିଶ୍ରଙ୍କୁ ରାଜ୍ୟ ସରକାର ଆଜି ଚାକିରିରୁ ବହିଷ୍କାର କରିଛନ୍ତି । ରାଜ୍ୟପାଳଙ୍କ ମୋହର ପାଇଲା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇଛି । ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଏବେ ଜେଲ୍ ରେ ଥିବା ମନୀଷାଙ୍କର ଚାକିରି, ପଦ, ସମ୍ମାନ ସବୁ ଚାଲିଯାଇଛି ।
ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍ ରେଜିଷ୍ଟ୍ରାର ଥିଲେ ଏହି ଯୁବ ଓଆରଏସ୍ ଅଫିସର । ୨୦୨୪ ରେ ତାଙ୍କର ଚାକିରି ଜୀବନ ଆରମ୍ଭ ହୋଇଥିଲା । ଏ ପର୍ଯ୍ୟନ୍ତ ପ୍ରୋବେସନ୍ ପିରିୟର୍ଡ ସରି ନ ଥିଲା । ୮ ମାସ ତଳେ ବାଲିଆପାଳକୁ ସବ୍ ରେଜିଷ୍ଟ୍ରାର ହୋଇ ଆସିଥିଲେ । ପ୍ରତି କାର୍ଯ୍ୟ ପାଇଁ ସେ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇ ଆସୁଥିଲା । ଗତ ୬ ତାରିଖରେ ଭିଜିଲାନସ୍ ହାବୁଡ଼ରେ ପଡ଼ିଗଲେ ।
ଅଭିଯୋଗ ଅନୁଯାୟୀ, ବାଲିଆପାଳ ଅଞ୍ଚଳର ଜ୍ଞାନରଞ୍ଜନ ପାତ୍ର ନାମକ ଜଣେ ବ୍ୟକ୍ତି ତାଙ୍କର ୦.୧୪ ଡିସିମିଲ୍ ଜମିର କବଲା ରେଜିଷ୍ଟ୍ରେସନ୍ ପାଇଁ ବାରମ୍ବାର ସବ୍ ରେଜିଷ୍ଟ୍ରାରଙ୍କ ପାଖକୁ ଦୌଡ଼ିଥିଲେ । ଏହା ‘ସ୍ଥିତିବାନ’ ଜମି ଭାବେ ରେଜିଷ୍ଟ୍ରେସନ୍ ହେବାର ଥିଲେ ମଧ୍ୟ ମନୀଷା ସେଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ଦେଲେ ଯାଇ କାମ ହେବ ବୋଲି ଶୁଣାଇ ଦେଇଥିଲେ ।
ମାତ୍ର ଏତେ ଟଙ୍କା ଦେଇପାରିବେନି କହି ଜ୍ଞାନରଞ୍ଜନ ନିଜର ଅକ୍ଷମତା ପ୍ରକାଶ କଲା ପରେ ୭ ହଜାର ଟଙ୍କାରେ କଥା ଛିଣ୍ଡିଥିଲା । ସବ୍ ରେଜିଷ୍ଟ୍ରାରଙ୍କ ଲାଞ୍ଚଖୋର ବ୍ୟବହାରରେ ଅତିଷ୍ଠ ଜ୍ଞାନରଞ୍ଜନ ଘଟଣା ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ । ଯୋଜନା ମୁତାବକ ଶୁକ୍ରବାର ଦିନ ୭ ହଜାର ଟଙ୍କା ଦେଇଥିଲେ । ମନୀଷା ସେହି ଲାଞ୍ଚ ଟଙ୍କା ଧରୁଥିବା ବେଳେ ପାଖରେ ଛକିଥିବା ଭିଜିଲାନସ୍ ଟିମ୍ ଧରିଥିଲା ।
ଝାରସୁଗୁଡ଼ାର ଝିଅ ମନୀଷା ମିଶ୍ର ଜଣେ ମେଧାବୀ ଛାତ୍ରୀ ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ବାୟୋଟେକ୍ ରେ ସ୍ନାତକ ଓ ୟୁପିର ଗଲଗୋଟିଆ ବିିଶ୍ୱବିଦ୍ୟାଳୟରୁ ମାଇକ୍ରୋ ବାୟୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୨ରେ ସେ ୨୮୩ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଟ୍ରେନିଂ ସରିଲା ପରେ ୨୦୨୪ ମସିହାରେ ଚାକିରିରେ ଯୋଗଦେଇଥିଲେ ।
ଦୁର୍ନୀତିଖୋର କେହି ବର୍ତ୍ତିବେନି: ରାଜସ୍ୱ ମନ୍ତ୍ରୀ
ଦୁର୍ନୀତିଖୋର ସରକାରୀ କର୍ମଚାରୀ କାହାରିକୁ ଛଡ଼ାଯିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି । ୭ ହଜାର ଟଙ୍କା ଲାଞ୍ଚ ନେଇ ଓଆରଏସ୍ ଅଧିକାରୀ ମନୀଷା ମିଶ୍ର ଚାକିରିରୁ ବିଦା ହେଲା ପରେ ରାଜସ୍ୱମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ସାବଧାନ କରାଇଛନ୍ତି । କହିଛନ୍ତି, ବିଭିନ୍ନ ଜିଲ୍ଲାରୁ ଆରଆଇମାନଙ୍କ ବିରୋଧରେ ବହୁ ଅଭିଯୋଗ ଆସିଛି । ରାଜସ୍ୱ ବିଭାଗରେ କୌଣସି କର୍ମଚାରୀ ଲାଞ୍ଚ ମାଗୁଥିଲେ ପ୍ରମାଣ ସହ ଆସନ୍ତୁ । କେହି ବର୍ତ୍ତିବେ ନାହିଁ । ଯେଉଁମାନେ ଦୁର୍ନୀତି କରିବେ ଏବଂ ସାଧାରଣ ଲୋକଙ୍କୁ ହଇରାଣ ହରକତ କରିବେ ନିଶ୍ଚିତ ଦଣ୍ଡ ମିଳିବ । ରାଜସ୍ୱ ବିଭାଗରେ ଦୁର୍ନୀତି ଅଭିଯୋଗ ଆସିଥିବା କର୍ମଚାରୀଙ୍କ ମଧ୍ୟରୁ ୨୦ ପ୍ରତିଶତଙ୍କୁ ଭିଜିଲାନସ୍ ଧରିଛି । ବାକି ୮୦% କର୍ମଚାରୀଙ୍କ ବିରୋଧରେ ବିଭାଗ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।