ଭୁବନେଶ୍ୱର: ମତେ ଅଣ୍ଡା, ଚପଲ, କାଳି, ଟମାଟୋ ମାଡ କର କି ଗୁଳିମାଡ କର, କିଛି ଫରକ ପଡିବନି। ମୁଁ ଲୋକଙ୍କ ପାଖକୁ ଆସିବି ଓ ଲୋକଙ୍କ କାମ କରିବି । ଖରାରେ ୧୦ ହଜାର ଲୋକ ଅପେକ୍ଷା କରିଛନ୍ତି । ସେମାନଙ୍କୁ ସମ୍ମାନ ଦେଇ ସେମାନଙ୍କ ସହ ହାତ ମିଶାଇଲେ ଖୁସି ଲାଗୁଛି । ସେଥିପାଇଁ କିଏ ଟମାଟୋ ଫିଙ୍ଗିବ ବୋଲି ଅଟକିବାର ନାହିଁ । ବହୁତ ଲୋକ ଆସିବେ, ମଞ୍ଚ ଉପରେ ବିଭିନ୍ନ ପ୍ରତିଶ୍ରୁତି ଦେଇ ଚାଲିଯିବେ । କେହି କିଛି କାମ କରିବେ ନାହିଁ । ମୁଁ କିନ୍ତୁ ସେମିତି ଲୋକ ନୁହଁ । ମୁଁ ଲୋକଙ୍କ କାମ କରିବା ପାଇଁ ଆସିଛି ଓ ଆସୁଥିବି । ଚପଲ, ଅଣ୍ଡା ଓ କାଳି ମାଡ ଅଟକାଇପାରିବ ନାହିଁ । ଏପରିକି ଗୁଳିମାଡ ମଧ୍ୟ ଅଟକାଇପାରିବ ନାହିଁ । ଖରାତରାରେ ୧୦ ହଜାର ଲୋକ ଯେତେବେଳେ ମୋ ପାଇଁ ଆସିଛନ୍ତି, ମୁଁ ସେମାନଙ୍କୁ ଭେଟି ସେମାନଙ୍କ ସହ ହାତ ମିଳାଇଲେ ମତେ ଭଲ ଲାଗୁଛି ।
ଗଂଜାମ ଜିଲ୍ଲା ବେଲଗୁଣ୍ଠାଠାରେ ଆୟୋଜିତ ସାଧାରଣ ସଭାରେ ବିରୋଧୀମାନଙ୍କୁ ଏଭଳି କଟାକ୍ଷ କରିଛନ୍ତି ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।
ଆଜି ଶ୍ରୀ ପାଣ୍ଡିଆନ ଗଂଜାମ ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ତାଙ୍କର ପ୍ରଥମ ସଭା ଥିଲା ବେଲଗୁଣ୍ଠାଠାରେ । ସେ ସଭାସ୍ଥଳକୁ ପ୍ରବେଶ କରୁଥିବା ବେଳେ ଜଣେ ଦୁବୃର୍ତ୍ତ ଅଚାନକ ଧସେଇ ଆସି ଏକ ଟମାଟୋ ତାଙ୍କ ଉପରକୁ ଫୋପାଡିଥିଲା । ସଭାରେ ଥିବା ଲୋକେ ଓ ପୋଲିସ ଦୁବୃର୍ତ୍ତକୁ ତୁରନ୍ତ କାବୁ କରିନେଇଥିଲେ। ଟମାଟୋ ଫୋପାଡିବା ବେଳେ ସମ୍ପୃକ୍ତ ଯୁବକ ହାତରେ କଂଗ୍ରେସର ଏକ ଛୋଟିଆ ପତାକା ଧରିଥିବା ଦେଖିବାକୁ ମିଳିଥିଲା ।
ସମ୍ପୃକ୍ତ ଦୁବୃର୍ତ୍ତଙ୍କ ଟମାଟୋ ମାଡ ସତ୍ତ୍ୱେ ପାଣ୍ଡିଆନ ବିଚଳିତ ନ ହୋଇ ଚିରାଚରିତ ଭାବେ ଲୋକଙ୍କୁ ହାତ ମିଶାଇଥିଲେ ଓ ସେମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ କରିଥିଲେ । ମଞ୍ଚ ଉପରକୁ ଆସି ଜୟ ଜଗନ୍ନାଥ ଓ ଜୟ ମା ତାରାତାରିଣୀ କହି ବେଲଗୁଣ୍ଠା ଏବଂ ସୋରଡା ଅଞ୍ଚଳର ବିକାଶ ସମ୍ପର୍କିତ ଚିଠା ଉପସ୍ଥାପନ କରିଥିଲେ ।
ଆଜି ଶ୍ରୀ ପାଣ୍ଡିଆନ୍ ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ପ୍ରଥମେ ବେଲଗୁଣ୍ଠାରେ ପହଞ୍ଚିଥିଲେ । ପରେ ସେ ଶେରଗଡ, କୁକୁଡାଖଣ୍ଡି ଓ ପାତ୍ରପୁରରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ବେଲଗୁଣ୍ଠା, ଧରାକୋଟ, କୁକୁଡ଼ାହାଣ୍ଡି ଏବଂ ପାତ୍ରପୁରଠାରେ ସାଧାରଣ ସଭାରେ ଯୋଗଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସମୁଦାୟ ୧୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ସୋରଡ଼ା ବ୍ଲକ୍ ର ପିପଳାପଙ୍କ ନଦୀବନ୍ଧ ପ୍ରକଳ୍ପ, ଧରାକୋଟ ବ୍ଲକ୍ ର ଜାନିଭିଲି ବ୍ୟାରେଜ୍ ପ୍ରକଳ୍ପ, ଦିଗପହଣ୍ଡି ବ୍ଲକ୍ ର ଚେଲିଗଡ଼ା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ ।