ଭୁବନେଶ୍ୱର: ଚାଷୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘କାଳିଆ’ ଯୋଜନାର ଅବଧି ଆଉ ୩ ବର୍ଷ ବୃଦ୍ଧି କରାଯାଇଛି । ୨୦୨୬-୨୭ ମସିହା ପର୍ଯ୍ୟନ୍ତ ଏହି ଯୋଜନା ବଢ଼ିବା ନେଇ ଆଜି ରାଜ୍ୟ କ୍ୟାବିନେଟ୍ ରେ ନିଷ୍ପତ୍ତି ହୋଇଛି । ଏହି ଯୋଜନା ବାବଦରେ ୩ ବର୍ଷରେ ଖର୍ଚ୍ଚ ହେବ ୬୦୨୯ କୋଟି ୭୦ ଲକ୍ଷ ଟଙ୍କା ।
ଏଥିସହ କାଳିଆ ସହାୟତା ପ୍ରଦାନ କଟକଣାକୁ କୋହଳ ପାଇଁ ନିଷ୍ପତ୍ତି ହୋଇଛି । ଏପର୍ଯ୍ୟନ୍ତ ଖରିଫ୍ ଋତୁ ପାଇଁ ଏପ୍ରିଲ ୧ ଓ ରବି ଋତୁ ପାଇଁ ସେପ୍ଟେମ୍ବର ୧ ରେ ଚାଷୀଙ୍କୁ ସହାୟତା ଦିଆଯାଉଥିଲା । ମାତ୍ର ଏଣିକି ଚାଷୀଙ୍କ ଆବଶ୍ୟକତା ଦେଖି ସହାୟତା ପ୍ରଦାନ କରିବେ ସରକାର । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ରହିବ ନାହିଁ । ଏହି ସମୟରେ ଭୂମିହୀନ କୃଷି ପରିବାରଙ୍କୁ ମଧ୍ୟ ସେମାନଙ୍କ ପ୍ରାପ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯିବ ।
ସୂଚନାଯୋଗ୍ୟ, କୃଷକମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ‘କାଳିଆ’ ଯୋଜନା ୨୦୧୮-୧୯ ମସିହାରେ ଆରମ୍ଭ କରିଥିଲେ । ସେବେଠାରୁ ଏହା କାର୍ଯ୍ୟକାରୀ ହୋଇଆସୁଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହାକୁ ମିଶାଇ ୧୩ ବିଭାଗର ୧୬ ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।