ଭୁୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଧାର୍ମିକ ପୀଠସ୍ଥଳର ନବୀକରଣ କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେଇଛନ୍ତି । ଏହାର ବିକାଶ ଏବଂ ପାରିପାଶ୍ୱିର୍କ ସୌନ୍ଦର୍ଯ୍ୟକରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଇଥିବା ବେଳେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଏହାକୁ ସାକାର କରିବା ଦାୟିତ୍ୱ ନେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପ୍ରସିଦ୍ଧ ମନ୍ଦିରଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରୀ ପାଣ୍ଡିଆନ୍ ନିଜେ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ପରେ ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ବିକାଶ କାର୍ଯ୍ୟ ହାତକୁ ନିଆଯାଉଛି ।

ଏହି କ୍ରମରେ ୫-ଟି ସଚିବ ଆଜି ବଡ଼ି ସକାଳୁ ଜଗତସିଂହପୁରର ଝଙ୍କଡ଼ ପୀଠକୁ ଯାଇ ମା’ ଶାରଳାଙ୍କୁ ପୂଜାର୍ଚ୍ଚନା କରିଥିଲେ ଏବଂ ପୀଠର ବିକାଶ ସମ୍ପର୍କରେ ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଠାକୁରାଣୀଙ୍କର ସିଂହଦ୍ୱାର ଓ ମନ୍ଦିର ମୁଖଶାଳା ସଂଲଗ୍ନ ଜାଗାର ମରାମତି ଚାର୍ଯ୍ୟକୁ ଅଗ୍ରାଧିକାର ଦେବାକୁ ସେବାୟତମାନେ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିଭଳି ଭକ୍ତଙ୍କ ପାଇଁ ଗୋଡ଼ ଧୋଇବା ବ୍ୟବସ୍ଥା, ବିଶ୍ରାମସ୍ଥଳ ନିର୍ମାଣ ଏବଂ ମନ୍ଦିର ସଂଲଗ୍ନ ମୁଖ୍ୟରାସ୍ତାର ପ୍ରଶସ୍ତିକରଣ ପାଇଁ ପ୍ରସ୍ତାବ ଦେଇଥିଲେ ।







