ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସ୍ତାବ ବିନା ବିରୋଧରେ ବିଧାନସଭାରେ ପାରିତ ହୋଇଥିଲା । ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ସ୍ୱାଗତ କରିଥିଲେ । ପ୍ରକଳ୍ପ ନିମନ୍ତେ ଉଚ୍ଛେଦ କାର୍ଯ୍ୟରେ ପୁରୀବାସୀ ଅକୁଣ୍ଠ ସହଯୋଗ କରିଥିଲେ । ବିନା ବିରୋଧରେ ୫୧୦ ଦୋକାନ ଘର ଉଚ୍ଛେଦ ହେଲା । ରାଜନୈତିକ ବାଛବିଚାର ଭୁଲି ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇଥିଲେ । ୨୦୨୪ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ସମସ୍ତଙ୍କର ଆଗ୍ରହ ରହିଲା ।
ମାତ୍ର କାମ ଆରମ୍ଭ ବେଳକୁ ସେଥିରେ କେଁ ପଶିଯାଇଛି । ରୋଚକ କଥା ହେଉଛି, ବିରୋଧୀ ଦଳ ଭାବେ ବିଜେପି କିମ୍ବା କଂଗ୍ରେସ ପାଇଁ ତାହା ରାଜନୈତିକ ବିରୋଧୀ ଅସ୍ତ୍ର ହୋଇନାହିଁ । ବରଂ ବ୍ୟକ୍ତିଗତ ଭାବେ ପ୍ରକଳ୍ପ ବିରୋଧରେ ଏକପ୍ରକାର ନେତୃତ୍ୱ ନେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରତ୍ନତତତ୍ତ୍ୱ ବିଭାଗର ବିନା ଅନୁମତିରେ କାମ ହେଉଥିବା ଅଭିଯୋଗ ଆଣି ସେ ତମ୍ବିତୋଫାନ ଆରମ୍ଭ କରିଛନ୍ତି । ଆଉ ପ୍ରଚ୍ଛଦରେ ରହି ତାଙ୍କୁ ବଳ ଦେଉଛନ୍ତି ବୈଜୟନ୍ତ ପଣ୍ଡା ।
ଅପରାଜିତାଙ୍କ ଆଭିମୁଖ୍ୟ ସାଙ୍ଗରେ ତାଙ୍କ ଦଳ ବିଜେପି ନ ରହିବା ପ୍ରସଙ୍ଗକୁ ଅଧିକ ରୋଚକ କରିଛି । ତାଙ୍କ ଦଳର ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରକଳ୍ପ ସମର୍ଥନରେ ଛିଡ଼ା ହୋଇଛନ୍ତି । କୃଷ୍ଣ ଜଗଦ୍ଦେବଙ୍କ ଭଳି ବରିଷ୍ଠ ନେତା ମଧ୍ୟ ପ୍ରକଳ୍ପ ସମର୍ଥନରେ ଖୋଲାଖୋଲି ବାହାରିଛନ୍ତି । ସୁତରାଂ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମଧ୍ୟ ଅପରାଜିତା ବିଜେପିରେ ଏକଘରିକିଆ ହୋଇଛନ୍ତି ।
ଗୁରୁତ୍ୱପୂର୍ଣ୍ଣ ହେଉଛି, ଶ୍ରୀମନ୍ଦିର ବରିଷ୍ଠ ସେବାୟତ, ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ପୁରୀ ଗଜପତି ମହାରାଜା ମଧ୍ୟ ପ୍ରକଳ୍ପକୁ ସମର୍ଥନ କରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସାରିବାକୁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଯାଇଛି । ପ୍ରକଳ୍ପକୁ ବିରୋଧ ନ କରିବା ପାଇଁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ସମସ୍ତଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି, ମହାପ୍ରଭୁଙ୍କ କାର୍ଯ୍ୟ ସମସ୍ତଙ୍କର । ଏଥିରେ ବାଧା ଦେବା ଅନୁଚିତ୍ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିବା ଆବଶ୍ୟକ । କାମ ସରିଲେ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଭାବ ପକାଇବ । ଯେଉଁଭଳି ଢ଼ଙ୍ଗରେ ଖନନ ଚାଲିଛି ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସେ କହିଛନ୍ତି ।







