ଭୁୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ୫-ଟି ସ୍କୁଲ ରୂପାନ୍ତର ନକ୍ସା ପ୍ରସ୍ତୁତି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ନିଜେ ୫-ଟି ସଚିବ ଭି.କେ.ପାଣ୍ଡିଆନ ସମସ୍ତଙ୍କଠାରୁ ମତାମତ ନେଇ ଏହି କାର୍ଯ୍ୟର ତଦାରଖ କରୁଛନ୍ତି । ଗତକାଲି ଏବଂ ଆଜି ଦୁଇଦିନ ଧରି ସେ ଗଞ୍ଜାମ, ବରଗଡ଼, କେନ୍ଦୁଝର, କଟକ, ମୟୁରଭଞ୍ଜ, ମାଲକାନଗିରି, ପୁରୀ, ଗଜପତି, ଢ଼େଙ୍କାନାଳ ଆଦି ୯ ଟି ଜିଲ୍ଲାର ୭୫୨ ଟି ହାଇସ୍କୁଲ ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ସରପଞ୍ଚ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ମାରାଥନ ବୈଠକ କରିଛନ୍ତି ।
ଏ ପର୍ଯ୍ୟନ୍ତ ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ୬୮୮୩ ହାଇସ୍କୁଲ ରୂପାନ୍ତର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ ୮୬୫୪ ସରକାରୀ ହାଇସ୍କୁଲଗୁଡ଼ିକରେ ରୂପାନ୍ତର କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକ, ସରପଞ୍ଚମାନଙ୍କ ସହ ସେମାନଙ୍କ ସ୍କୁଲରେ ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ୫-ଟି ସଚିବଙ୍କ ସହ ଛାତ୍ରଛାତ୍ରୀମାନେ ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଖୋଲା ମତପୋଷଣ କରିଛନ୍ତି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଶେରଗଡ଼ରୁ ୨୦୨୧ ମସିହାରେ ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତିନୋଟି ପର୍ଯ୍ୟାୟରେ ସାରା ରାଜ୍ୟରେ ୬୮୮୩ଟି ହାଇସ୍କୁଲର ରୂପାନ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ୧୭୭୧ ହାଇସ୍କୁଲ ରୂପାନ୍ତର ଏହି ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବ । ଏଥିସହ ରାଜ୍ୟର ସମସ୍ତ ୮୬୫୪ ହାଇସ୍କୁଲର ଭିତ୍ତିଭୂମି ରୂପାନ୍ତର ସମ୍ପୂର୍ଣ୍ଣ ହେବ । ଓଡ଼ିଶାର ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଅନ୍ୟ ରାଜ୍ୟମାନଙ୍କ ପାଇଁ ମଡେଲ ହୋଇଥିବା ବେଳେ ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆଗ୍ରହ ବୃଦ୍ଧିରେ ସହାୟକ ହୋଇଛି ।