ଭୁୁବନେଶ୍ୱର:ଧାମନଗର ଉପନିର୍ବାଚନ ଭୋଟ ଆଜି ଶେଷ ହୋଇଛି । ସଂଧ୍ୟା ସାଢ଼େ ୭ଟା ସୁଦ୍ଧା ୬୬.୬୩% ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସଂଧ୍ୟା ପର୍ଯ୍ୟନ୍ତ ଭୋଟିଂ ପାଇଁ ଭିଡ଼ ରହିଥିବାରୁ ଚୂଡ଼ାନ୍ତ ଭୋଟ ହାର ଅଧିକ ହେବ ବୋଲି ଆଶା କରାଯାଉଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ ଏଠାରେ ୭୨.୧୦% ମତଦାନ ହୋଇଥିଲା ।
ଆଜି ସକାଳ ୭ଟା ବେଳେ ମତଦାନ ଆରମ୍ଭ ହୋଇଥିଲା । ସକାଳ ୯ ଟା ସୁଦ୍ଧା ୧୦.୨୫% ମତଦାନ ହୋଇଥିବା ବେଳେ ଦିନ ୧ଟା ସୁଦ୍ଧା ୩୮.୭୫%, ୩ଟା ସୁଦ୍ଧା ୫୨.୧୩%, ୫ଟା ସୁଦ୍ଧା ୫୮.୫୩% ମତଦାନ ହୋଇଥିଲା ।
ମତଦାନ ବେଳେ ଏକାଧିକ ଜାଗାରେ ଗଣ୍ଡଗୋଳ ଏବଂ ବୁଥ୍ ରିଗିଂର ଅଭିଯୋଗ ହୋଇଥିଲା । ଧାମନଗର ବ୍ଲକ୍ ର କଟସାହି ଅନ୍ତର୍ଗତ ୨୨ ନମ୍ବର ବୁଥ୍ ରେ ରିଗିଂ ଅଭିଯୋଗକୁ ନେଇ ଅଶାନ୍ତ ପରିସ୍ଥିତି ଦେଖିବାକୁ ମିଳିଥିଲା । ସେହିଭଳି ଦଳାଙ୍ଗ ପଞ୍ଚାୟତର ୧୬୯ ଏବଂ ୧୭୦ ନମ୍ବର ବୁଥ୍ ରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । କୋଠାର ପଞ୍ଚାୟତର ୧୯୧ ନଂ ବୁଥ୍ ବାହାରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । କାଁପଡ଼ା ପଞ୍ଚାୟତରେ ନିଜର ଭୋଟ କେନ୍ଦ୍ରକୁ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଦଳୀୟ ଚିହ୍ନ ଥିବା ଗାଡିରେ ଯିବାକୁ କେନ୍ଦ୍ର କରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ତେବେ କାଁ ଭାଁ ଘଟଣାକୁ ବାଦ୍ ଦେଲେ ମତଦାନ ଶାନ୍ତିପୂର୍ଣ୍ଣ ରହିଥିବା ସିଇଓ ସୁଶୀଲ କୁମାର ଲୋହାନୀଙ୍କ ସୂଚନା ଦେଇଛନ୍ତି ।
ଏଥିସହ ଉପନିର୍ବାଚନରେ ପ୍ରାର୍ଥୀ ଥିବା ୫ ଜଣଙ୍କ ଭାଗ୍ୟ ଇଭିଏମ୍ ଭିତରେ ସିଲ୍ ହୋଇଛି । ଆସନ୍ତା ରବିବାର ଦିନ ଭୋଟ ଗଣତି ହେବ ।