ଭୁବନେଶ୍ୱର: ନୂଆପଡ଼ାରେ ରେକର୍ଡ ଭାଙ୍ଗିଲା ମତଦାନ । ଗତକାଲି ଅନୁଷ୍ଠିତ ଉପନିର୍ବାଚନରେ ମତଦାନ ହାର ରହିଛି ୮୩.୪୫ ପ୍ରତିଶତ । ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ଚୂଡ଼ାନ୍ତ ତଥ୍ୟ ଆସିଛି । ଗତକାଲି ଉପନିର୍ବାଚନ ହୋଇଥିବା ଦେଶର ୫ଟି ବିଧାନସଭା ଆସନ ମଧ୍ୟରେ ନୂଆପଡ଼ା ମତଦାନ ହାର ଶୀର୍ଷରେ ରହିଛି । ୮୩.୦୭% ମତଦାନ ସହ ମିଜୋରାମର ଡମ୍ପା ଆସନ ଦ୍ୱିତୀୟ ସ୍ଥାନରେ ଅଛି ।
ନିର୍ବାଚନ କମିସନଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ନୂଆପଡ଼ାରେ ୨ ଲକ୍ଷ ୫୪ ହଜାର ୪୯୭ ପଞ୍ଜିକୃତ ଭୋଟରଙ୍କ ମଧ୍ୟରୁ ୨ ଲକ୍ଷ ୧୨ ହଜାର ୩୮୫ ଜଣ ମତଦାନ ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ପଞ୍ଜିକୃତ ୧, ୨୯, ୯୩୨ ଜଣ ମହିଳାଙ୍କ ମଧ୍ୟରୁ ୧,୦୮, ୫୬୩ ଜଣ ଭୋଟ ଦେଇଥିବା ବେଳେ ୧,୨୪,୫୪୪ ଜଣ ପୁରୁଷଙ୍କ ମଧ୍ୟରୁ ୧,୦୩,୮୧୭ ପୁରୁଷ ଭୋଟ ଦେଇଛନ୍ତି ।
୨୦୨୪ ସାଧାରଣ ନିର୍ବାଚନରେ ନୂଆପଡ଼ା ବିଧାନସଭା ଆସନରେ ୭୫.୪୪% ମତଦାନ ହୋଇଥିଲା ।
ନୂଆପଡ଼ା ଉପନିର୍ବାଚନରେ ବିପୁଳ ମତଦାନକୁ ଐତିହାସିକ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ । ଏହି ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ନୂଆପଡ଼ାବାସୀଙ୍କ ଗଣତନ୍ତ୍ର ପ୍ରତି ଥିବା ଆସ୍ଥା ଓ ବିଶ୍ୱାସକୁ ପ୍ରଦର୍ଶିତ କରୁଛି । ବିପୁଳ ସଂଖ୍ୟାରେ ମତଦାନ କରି ଗଣତନ୍ତ୍ରର ପର୍ବକୁ ସଫଳ କରିଥିବା ସମସ୍ତ ମତଦାତାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ମତଦାତାଙ୍କ ମଧ୍ୟରେ ସଚେତନତା ବଢ଼ାଇବା ପାଇଁ ସମର୍ପିତ ମନୋଭାବ ଓ ନିଷ୍ଠାପର ଉଦ୍ୟମ ରଖିଥିବା ସମସ୍ତ ନିର୍ବାଚନ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।