ଭୁବନେଶ୍ୱର: ଉପରୋକ୍ତ ଫଟୋରେ ମହାମହିମ ରାଷ୍ଟ୍ରପତିଙ୍କ ଡାହାଣପଟେ ଛିଡ଼ା ହୋଇଥିବା ଭଦ୍ରବ୍ୟକ୍ତି ଜଣଙ୍କ ହେଉଛନ୍ତି ଟିପିଏନଓଡିଏଲର ସିଇଓ ଭାସ୍କର ସରକାର । ରାଷ୍ଟ୍ରପତିଙ୍କ ବାମପଟେ ରହିଥିବା ବାବୁଜଣଙ୍କ ବି ଟାଟା ପାୱାରର ଜଣେ ଉଚ୍ଚ ଅଧିକାରୀ । ରାଷ୍ଟ୍ରପତିଙ୍କ ତିନି ଦିନିଆ ମୟରୁଭଞ୍ଜ ଗସ୍ତର ପ୍ରଥମ ଦିନରେ ଟାଟା ପାୱାରର ଏହି ଦୁଇ ବାବୁ ରାଇରଙ୍ଗପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଗସ୍ତର ଶେଷଦିନରେ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଭାଷଣ ଦେଉଥିଲା ବେଳେ ବିଜୁଳି କଟିଗଲା । ରାଷ୍ଟ୍ରପତି ୯ ମିନିଟ୍ ଅନ୍ଧାରରେ ରହି ଭାଷଣ ଦେଲେ । ସମଗ୍ର ଦେଶରେ ଏହା ହଇଚଇ ଖେଳାଇଲା ।
ଏହି ଅଘଟଣକୁ ୭୨ ଘଣ୍ଟା ବିତିଯାଇଛି । ଆମ ଜାଣିବାରେ କାହାର କିଛି ହେଲା ନାହିଁ କି ହବାର ସମ୍ଭାବନା ଦିଶୁନି । ବିଦ୍ୟୁତ ସରବରାହ ସଂସ୍ଥା ଟାଟା ପାୱାର୍ ହାତ ଝାଡ଼ିଦେଇ ବସିଗଲା । ଦିନକ ଆଗରୁ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବାଲେଶ୍ୱର ରେଞ୍ଜ ସିଇଓ ଭାସ୍କର ବାବୁ ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଜୁଳି କଟିଯିବାରେ ସେମାନଙ୍କର କିଛି ଦୋଷ ନାହିଁ ବୋଲି ଗଣମାଧ୍ୟମରେ ତୁରନ୍ତ ସଫେଇ ଦେଇ ହାତ ଝାଡ଼ିଦେଲେ । ଦେଶର ପ୍ରଥମ ନାଗରିକଙ୍କ କାର୍ଯ୍ୟକ୍ରମରେ ଏତେବଡ଼ ବିଭ୍ରାଟ ପାଇଁ ଏହି ବାବୁ ଦୁଃଖପ୍ରକାଶ କଲେ ନାହିଁ କି କ୍ଷମା ପ୍ରାର୍ଥନା କଲେ ନାହିଁ । ଦାୟିତ୍ୱହୀନତା, ଅସୌଜନ୍ୟତା ଓ ଅହଂକାରର ଏହା ଥିଲା ଶ୍ରେଷ୍ଠ ନିଦର୍ଶନ ।
ଏହି ଅଭାବନୀୟ ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ବି ଦୁଃଖ ପ୍ରକାଶ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେଦିନ ଏମଏସସିବିୟୁ ଅଡିଟୋରିୟମ୍ ରେ ରାଷ୍ଟ୍ରପତି ଭାଷଣ ଦେଉଥିଲା ବେଳେ ବିଜୁଳି କଟିଗଲା । ୭ ଦିନ ଆଗରୁ ଏହି ବ୍ୟବସ୍ଥାର ତଦାରଖ ହୋଇଥିଲା । ଅଡିଟୋରିୟମ୍ ଦାୟିତ୍ୱ ନେଇଥିବା ଇଡକୋର ୮ ଜଣ ଅଧିକାରୀଙ୍କ ଉପସ୍ଥିତିରେ ବିଦୁ୍ୟତ ସରବରାହର ଯାଞ୍ଚ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତିରେ ତଦାରଖ କରାଯାଇଥିଲା ।
ମାତ୍ର ସମ୍ପୂର୍ଣ୍ଣ ବ୍ୟବସ୍ଥା କେବଳ ଲୋକଦେଖାଣିଆ ଥିଲା ବୋଲି ପ୍ରମାଣିତ ହୋଇଛି । ବିଭାଗର ମୁଖିଆ ଭାବେ ମନ୍ତ୍ରୀ ସୌଜନ୍ୟତା ଦୃଷ୍ଟିରୁ କ୍ଷମା କି ଦୁଃଖପ୍ରକାଶ କରିଦେଇଥିଲେ ତାଙ୍କର ସମ୍ମାନହାନୀ ହୋଇଯାଇ ନ ଥାଆନ୍ତା । ବ୍ୟବସ୍ଥାର ମୁଖିଆ ଭାବେ ମନ୍ତ୍ରୀ କ୍ଷମା ମଗିବା ଦୂରର କଥା ଦୁଃଖ ପ୍ରକାଶ କରିବାର ସୌଜନ୍ୟତା ବି ଦେଖାଇନାହାନ୍ତି ।
ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ନୈତିକତା ଦୃଷ୍ଟିରୁ ସବୁ ଦୋଷ ନିଜ ଉପରକୁ ନେଇଛନ୍ତି । ପୂରା ଘଟଣା ପାଇଁ ମୁଁ ଦୁଃଖିତ ଓ ମର୍ମାହତ ବୋଲି କୁଳପତି କହିଛନ୍ତି । ଦରକାର ପଡ଼ିଲେ କୁଳପତି ପଦ ଛାଡ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।
ସୂୂଚନାଯୋଗ୍ୟ, ଏତେବଡ଼ ଅଭାବନୀୟ ଘଟଣା ପାଇଁ କିଏ ଦାୟୀ ତାହା ଏ ଯାଏଁ ସ୍ପଷ୍ଟ ହୋଇପାରି ନାହିଁ । ବିଦୁ୍ୟତ ପରିଚାଳନା ଦାୟିତ୍ୱରେ ଥିବା ଜଣେ ତଳିଆ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ବେଳେ ଘଟଣାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ ଜଣିଆ କମିଟି ଗଠନ ହୋଇଛି । ଅନ୍ୟପକ୍ଷରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ସୁରେଶ କୁମାର ଦଳେଇ ବାରିପଦା ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।
ରାଜ୍ୟପାଳଙ୍କ ରିପୋର୍ଟ ତଲବ: ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଜୁଳି ଚାଲିଯିବା ଘଟଣାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆକ୍ସନ୍ ମୁଡ୍ କୁ ଆସିଛନ୍ତି । ମୁଖ୍ୟ ଶାସନ ସଚିବ ଏବଂ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏହି ଅଘଟଣ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି । ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟପାଳ ନିଦେ୍ର୍ଦଶ ଦେଇଛନ୍ତି । ସୂଚନାଥାଉକି, ସେଦିନ ରାଷ୍ଟ୍ରପତିଙ୍କ ସହ ମଞ୍ଚରେ ରାଜ୍ୟପାଳ ପ୍ରଫେସର ଲାଲ୍ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ୍ ଉପସ୍ଥିତ ଥିଲେ ।