ଭୁବନେଶ୍ୱର: ବିଜେପି ବିରୋଧୀ ମେଣ୍ଟ ପ୍ରୟାସରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ୯ ତାରିଖରେ ଓଡ଼ିଶା ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନାଇବାକୁ ସେ ଆସୁଥିବା ଚର୍ଚ୍ଚା ହେଉଛି । ସେଦିନ ୧୨ଟାରେ ନୀତୀଶ ନବୀନ ନିବାସ ଆସି ନବୀନଙ୍କୁ ଭେଟିବେ । ଏହାର ଫଳାଫଳ ଉପରେ ଏବେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି ।
୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ବିରୋଧୀ ମେଣ୍ଟ ପାଇଁ ନୀତୀଶ କୁମାର ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ନେତା ଅଖିଳେଶ ଯାଦବ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଓ ଡି. ରାଜାଙ୍କୁ ସାକ୍ଷାତ କରିସାରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପ୍ରଥମରୁ ଭେଟି ସାରିଛନ୍ତି । ଏହି ଅଭିଯାନରେ ବିଜେଡି ସମେତ ୱାଇଏସଆରସିପି ଓ ବିଆରଏସ୍ କୁ ସାମିଲ କରିବାକୁ ସେ ଯୋଜନା କରିଛନ୍ତି । ଚଳିତ ମାସ ତୃତୀୟ ସପ୍ତାହରେ ପାଟଣାରେ ବିରୋଧୀ ଦଳମାନଙ୍କର ଏକ ବିରାଟ ରାଲି ଆୟୋଜନ କରାଯାଉଛି । ଏଥିରେ ସାମିଲ ହେବା ପାଇଁ ନବୀନଙ୍କୁ ନୀତୀଶ ଅନୁରୋଧ କରିପାରନ୍ତି ।
ତେବେ ନବୀନଙ୍କୁ ମନାଇବା ନୀତୀଶଙ୍କ ପାଇଁ ଏତେ ସହଜ ହେବ ନାହିଁ ବୋଲି କୁହାଯାଉଛି । କାରଣ ଉଭୟ କଂଗ୍ରେସ ଓ ବିଜେପିଠାରୁ ବିଜେଡି ଆନୁଷ୍ଠାନିକ ଭାବେ ସମଦୂରତା ବଜାୟ ରଖିଛି । ଯଦିଓ କେନ୍ଦ୍ରରେ ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ବିଜେଡି ସମର୍ଥନ କରୁଛି ତେବେ ସମଦୂରତା ନୀତି ସହିତ ସାଲିସ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ବାରମ୍ବାର କୁହାଯାଇଛି ।
ତେଣୁ କଂଗ୍ରେସକୁ ସାଥୀରେ ରଖିବାକୁ ଚାହୁଁଥିବା ନୀତୀଶ କୁମାରଙ୍କ ପାଲରେ ନବୀନ ପଡ଼ିବେ ବୋଲି ବିଶ୍ୱାସ ହେଉନାହିଁ । ପୂର୍ବରୁ ତୃତୀୟ ମୋର୍ଚ୍ଚା କିମ୍ବା ବିଜେପି ବିରୋଧୀ ମେଣ୍ଟ ନେଇ ଜାତୀୟସ୍ତରରେ ଯେବେ ଆଲୋଚନା ହୋଇଛି ନବୀନ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ରଖିଛନ୍ତି ।
ସୂଚନାଥାଉକି, ଗତ ମାର୍ଚ୍ଚ ୨୩ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବୀନ ନିବାସ ଆସି ନବୀନଙ୍କୁ ସାକ୍ଷାତ କରିଥିଲେ । ପ୍ରାୟ ୩୦ ମିନିଟ୍ ଧରି ଉଭୟ ଆଲୋଚନା କରିଥିଲେ । ଏହା ସୌଜନ୍ୟମୂଳକ ଥିଲା ଏବଂ କୌଣସି ଗମ୍ଭୀର ରାଜନୈତିକ ଚର୍ଚ୍ଚା ହୋଇନାହିଁ ବୋଲି ଉଭୟ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ତେବେ ଦେଶରେ ସଶକ୍ତ ସଂଘୀୟ ବ୍ୟବସ୍ଥା ଉପରେ ସୁନ୍ଦର ଆଲୋଚନା ହୋଇଥିବା ଜଣାଇଥିଲେ ।