ଭୁବନେଶ୍ୱର: ବିଜେଡ଼ିର ‘ମୋ ପରିବାର’ ଅଭିଯାନକୁ ପ୍ରଥମରୁ ବଡ଼ ସଫଳତା ମିଳିଛି । ଦୁବାଇରେ ଫସି ରହିଥିବା ୭ ଜଣ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଯାଜପୁର ଜିଲ୍ଲାର ୭ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ଓଡ଼ିଶା ଫେରାଇ ଅଣାଯାଇଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ଅନ୍ୟ ୬ ଜଣ ଯୁବକ ଓଡ଼ିଶା ଫେରିବେ । ‘ମୋ ପରିବାର’ ପକ୍ଷରୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସୁବନେ୍ଦାବସ୍ତ କରାଯାଇଛି ।
ଘଟଣାଟି ଏହିଭଳି…
ଯାଜପୁର ଜିଲ୍ଲାର ୭ ଜଣ ଯୁବକଙ୍କୁ ସୁଦୂର ଦୁବାଇରେ ଚାକିରି ଦେବାର ପ୍ରଲୋଭନ ଦେଇ ସ୍ଥାନୀୟ ଅଞ୍ଚଳର ଜଣେ ଏଜେଣ୍ଟ ସେମାନଙ୍କୁ ଡାକି ନେଇଥିଲେ । ମାତ୍ର ଚାକିରି ବଦଳରେ ଓଲଟି ନିର୍ଯାତନା ଦିଆଗଲା । ସେମାନେ ନିରୁପାୟ ହୋଇ ସେଠାରେ ଫସି ରହିଥିଲେ । ଏହି ଘଟଣାକୁ ଯାଜପୁରର ସ୍ଥାନୀୟ ସାମ୍ବାଦିକ ତପନ ଭଂଜ ‘ମୋ ପରିବାର’ ର ସହ ଆବାହକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ନଜରକୁ ଆଣିଥିଲେ ।
ଏହି ସମ୍ବାଦ ଜାଣିଲା ପରେ ଶ୍ରୀ ନାୟକ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସ ଏବଂ ‘ମୋ ପରିବାର’ ଆଇନ ପରାମର୍ଶଦାତା ଆଡଭୋକେଟ୍ ଅବନୀ ସାହୁ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଥିଲେ । ଫସି ରହିଥିବା ପରିବାର ଲୋକଙ୍କ ସହ ଆଲୋଚନା କଲା ପରେ ଯାଜପୁର ଜିଲ୍ଲାର ବରୀ ଥାନାରେ ଏତଲା ଦିଆଯାଇଥିଲା । ଏତଲାକ୍ରମେ ପୁଲିସ ସଂପୃକ୍ତ ଏଜେଣ୍ଟଅଶୋକ ଜେନାଙ୍କୁ ଗତ ଡିସେମ୍ବର ୬ ତାରିଖରେ ଗିରଫ କରିଥିଲା ।
ସେପଟେ ଉକ୍ତ ଘଟଣା ସମ୍ପର୍କରେ ସ୍ୱତନ୍ତ୍ର ରେସିଡେଣ୍ଟ କମିଶନର ଶ୍ରୀ ରବିକାନ୍ତଙ୍କୁ ଯୋଗାଯୋଗ କରିଥିଲେ ‘ମୋ ପରିବାର’ ଟିମ୍ । କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହିତ ସମନ୍ୱୟ ରକ୍ଷା କରି ରବିକାନ୍ତ ଘଟଣାର ଅନୁଧ୍ୟାନ କରୁଥିବା ବେଳେ ‘ମୋ ପରିବାର’ ଟିମ୍ ଅନ୍ୟ ସରକାରୀ ଏଜେନ୍ସୀ ଏବଂ ଚାନେଲ୍ ମାନଙ୍କ ସହିତ ସମ୍ପର୍କ ରକ୍ଷା କରି ଯୁବକମାନଙ୍କ ଉଦ୍ଧାର ନିମନ୍ତେ ଲାଗିଥିଲେ ।
ଶେଷରେ ଏହି ଉଦ୍ୟମ ସଫଳ ହେଲା । ଗତ ୨୮ ତାରିଖରେ ଜଣେ ଯୁବକଙ୍କୁ ଓଡ଼ିଶା ଫେରାଇ ଅଣାଯାଇଥିଲା ବେଳେ ଅନ୍ୟ ୬ ଜଣଙ୍କୁ ଦିନେ ଦୁଇ ଦିନ ମଧ୍ୟରେ ଫେରାଇ ଆଣିବାର ବ୍ୟବସ୍ଥା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ‘ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ ସେମାନଙ୍କ ସୁରକ୍ଷା ପ୍ରତ୍ୟାବର୍ତ୍ତନ ନିମନ୍ତେ ଲାଗିପଡ଼ିଛନ୍ତି ।
ବିଦେଶରେ ଫସିଥିବା ସେମାନଙ୍କ ପୁଅକୁ ଉଦ୍ଧାର କରାଯାଇଥିବାରୁ ସଂପୃକ୍ତ ଯୁବକଙ୍କ ପରିବାରବର୍ଗଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ‘ମୋ ପରିବାର’ ର ଉଦ୍ୟମକୁ ଅଞ୍ଚଳବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି ।