ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮
ଭୁବନେଶ୍ୱର: ରାଜ୍ୟରୁ ଏକାଥରେ ୧୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକାଳୁ ସକାଳୁ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ରେ ଏହି ଶତକ ପଜିଟିଭ୍ ସଂଖ୍ୟାର ସୂଚନା ଆସିଛି । ଗଞ୍ଜାମରୁ ସର୍ବାଧିକ ୫୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ୩୩, ଯାଜପୁର ୭, ସୁନ୍ଦରଗଡ଼ ୭ ଏବଂ କେନ୍ଦୁଝରରୁ ୨ ଚିହ୍ନଟ ହୋଇଛନ୍ତି ।
କେବଳ ଗଞ୍ଜାମରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ୨୧୦ ରେ ପହଞ୍ଚଚିଛି । ଜଣେ ବି ସୁସ୍ଥ ହୋଇ ନାହାନ୍ତି ବରଂ ଜଣଙ୍କର ମୃତୁ୍ୟ ହୋଇଛି । ୯୦ ପଜିଟିଭ୍ ଙ୍କ ସହ ତାଲିକାର ଦ୍ୱିତୀୟରେ ଅଛି ବାଲେଶ୍ୱର ଜିଲ୍ଲା । ତେବେ ସେମାନଙ୍କ ମଧ୍ୟରୁ ୧୧ ଜଣ ସୁସ୍ଥ ହୋଇଛନ୍ତି । ପଜିଟିଭ୍ ତାଲିକାର ତୃତୀୟରେ ରହିଛି ଯାଜପୁର ଜିଲ୍ଲା । ସମୁଦାୟ ୭୧ ଆକ୍ରାନ୍ତ ବାହାରିଛନ୍ତି । ତେବେ ୩୩ ଜଣ ସୁସ୍ଥ ହୋଇଛନ୍ତି । ଚତୁର୍ଥ ସର୍ବାଧିକ ଜିଲ୍ଲା ଭାବେ ଖୋର୍ଦ୍ଧାରୁ ୫୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ୩୭ ଜଣ ସୁସ୍ଥ ହୋଇଛନ୍ତି । ଭଦ୍ରକରୁ ୩୧ ଆକ୍ରାନ୍ତ ହୋଇଥିଲେ ମଧ୍ୟ ୧୫ ଜଣ ସୁସ୍ଥ ହୋଇଛନ୍ତି ।
ଆଜିକୁ ମିଶାଇ ସୁନ୍ଦରଗଡ଼ରୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ରେ ପହଞ୍ଚିଛି । ପୂର୍ବରୁ ୧୦ ଜଣ ସୁସ୍ଥ ହୋଇସାରିଛନ୍ତି । କେନ୍ଦୁଝରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪ ହୋଇଛନ୍ତି । ସମସ୍ତେ ଚିକିତ୍ସାରେ ଅଛନ୍ତି ।
ଏହିଭଳି ଭାବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ କୁ ବୃଦ୍ଧି ପାଇଛି । ୩ ଜଣ ମୃତ ଏବଂ ୧୧୬ ଜଣ ସୁସ୍ଥ ହୋଇଥିବାରୁ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪୧୯ ।