ଭୁବନେଶ୍ୱର: ବାତ୍ୟାରୁ ଲୋକଙ୍କ ଧନଜୀବନ ରକ୍ଷା କରିବା ସରକାରଙ୍କ ପାଇଁ ଏକ ବଡ଼ ଦାୟିତ୍ୱ । ଅତୀତର ସଫଳ ଅନୁଭବ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ କାଜୁଆଲିଟି ଉପରେ ଏଥର ମଧ୍ୟ ଗୁରୁତ୍ୱ ଦେଇ ପ୍ରଶାସନକଳକୁ ସଜାଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମାନି ବାତ୍ୟାର ପ୍ରଭାବ ପଡ଼ିବାକୁ ଥିବା ସମୁଦ୍ର ତଳିଆ ଅଞ୍ଚଳ ଓ କଚ୍ଚା ଘରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା କାମରେ ଜିଲ୍ଲା ପ୍ରଶାସନ ଲାଗି ପଡ଼ିଛନ୍ତି । ହେଲେ କିଛି ଜାଗାରେ ଲୋକମାନେ ବାତ୍ୟା ବିପଦକୁ ଢ଼ିଲା ମାରି ପ୍ରଶାସନକୁ ସହଯୋଗ କରୁନାହାନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲାରେ ଏମିତି କିଛି ଘଟଣା ଆଜି ପ୍ରଶାସନର ମୁଣ୍ଡବ୍ୟଥା କରିଥିଲା । ଲୋକମାନଙ୍କୁ ବୁଝାଇ ସୁରକ୍ଷିତ ସ୍ଥାନକୁ ଆଣିବାକୁ ଖୋଦ୍ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହଙ୍କୁ ହାତଯୋଡିବାକୁ ପଡ଼ିଥିଲା । ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର କେନ୍ଦ୍ରାଞ୍ଚଳ ଡିଆଇଜି ଶ୍ରୀ ସିଂହଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ପଠାଇଛନ୍ତି । ଗତକାଲିଠାରୁ ସେ କେନ୍ଦ୍ରାପଡ଼ାରେ ଡେରା ପକାଇ ସମୁଦ୍ରକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ନେବା କାର୍ଯ୍ୟକୁ ପ୍ରାଥମିକତା ଦେଇଛନ୍ତି । ଆଜି ଶ୍ରୀ ସିଂହ ତାଳଚୁଆସ୍ଥିତ ସମୁଦ୍ରକୂଳିଆ ଅଞ୍ଚଳ ଗସ୍ତ କଲା ବେଳେ ଲୋକମାନେ ସେମାନଙ୍କ ଜାଗା ଛାଡ଼ି ନ ଥିବା ଦେଖିଥିଲେ । ସ୍ଥାନୀୟ ପ୍ରଶାସନକୁ ତାଗିଦ୍ କଲାରୁ କିଛି ଲୋକ ବିଶେଷକରି ମହିଳାମାନେ ଘର ଛାଡ଼ିବାକୁ ରାଜି ହେଉ ନ ଥିବା ଜାଣିଥିଲେ ।
ଏହାପରେ ଡିଆଇଜି ଶ୍ରୀ ସିଂହ ଲୋକଙ୍କୁ ବୁଝାଇଲା ପରେ ବି ସେମାନେ ଅମଙ୍ଗ ହୋଇଥିଲେ । ଶେଷରେ ଶ୍ରୀ ସିଂହ ସେମାନଙ୍କୁ ହାତଯୋଡି ଅନୁରୋଧ କଲା ପରେ ଯାଇ ଆଶ୍ରୟସ୍ଥଳୀ ଆସିବାକୁ ରାଜି ହୋଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଇଥିଲା ।







