ପୁରୀ: ରତ୍ନ ସିଂହାସନରୁ ଓହ୍ଲାଇ ସ୍ନାନ ମଣ୍ଡପରେ ବିଜେ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବିଳମ୍ବିତ ରାତିରେ ସ୍ନାନଯାତ୍ରାର ନୀତିକାନ୍ତି ଆରମ୍ଭ ହୋଇଛି । ରାତି ୧.୨୫ ରେ ମଙ୍ଗଳାର୍ପଣ ହୋଇ ୧ଟା ୪୦ରେ ପହଣ୍ଡି ଆରମ୍ଭ ହୋଇଥିଲା । ପହଣ୍ଡି ସରିଥିଲା ରାତି ୩ଟା ୧୦ରେ ।
୩ଟା ୪୦ ରେ ମଦନମୋହନ ବିଜେ ହୋଇଥିଲେ । ଭୋର ୪ଟା ୨୦ରେ ମଙ୍ଗଳ ଆରତୀ, ୪ଟା ୩୫ ରେ ମଇଲମ ଓ ତଡ଼ପଲାଗି ଏବଂ ଭୋର ୪ଟା ୫୦ ରେ ମହାପ୍ରଭୁଙ୍କ ଅଧର ପୋଛା ନୀତି ସମ୍ପନ୍ନ ହୋଇଥିଲା । ୫.୩୦ ରେ ଅବକାଶ, ୫.୪୦ରେ ରୋଷହୋମ ଓ ୫.୫୫ ରେ ବେଶ ଶେଷ ହୋଇଥିଲା ।

ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ପରେ ଏବେ ଜଳ ବିଜେ ନୀତି ଚାଲିଛି । ଗରାବଡୁ ସେବାୟତଙ୍କ ଦ୍ୱାରା ଚାଲିଛି ଏହି ନୀତି । ଦିନ ସାଢ଼େ ୧୦ଟାରେ ଛେରାପହଁରା ନୀତି ଏବଂ ମଧ୍ୟାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ହେବ ଶ୍ରୀଜୀଉମାନଙ୍କର ହାତୀବେଶ । ବାହୁଡ଼ା ପହଣ୍ଡି ସଂଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ ସମ୍ପନ୍ନ କରାଯିବ ।
କରୋନା କଟକଣା ପାଇଁ ପ୍ରଥମ ଥର ପାଇଁ ବିନା ଭକ୍ତରେ ହେଉଛି ସ୍ନାନଯାତ୍ରା । ସୀମିତ ସେବାୟତଙ୍କ ଦ୍ୱାରା ନୀତିକାନ୍ତି ଚାଲିଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହାର ଲାଇଭ୍ ପ୍ରସାରଣ କରାଯାଉଛି ।






