କିଟ୍ ଗବେଷଣାଗାରରେ ନୂଆ ଟେକ୍ନୋଲୋଜି
ଭୁବନେଶ୍ୱର: ବିନା ସିମେଣ୍ଟରେ କଂକ୍ରିଟ୍ ରାସ୍ତା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କିଟ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ନୂତନ ନିର୍ମାଣଭିତ୍ତିକ ଟେକ୍ନୋଲୋଜି ବିକଶିତ କରିଛନ୍ତି । ପ୍ରଥମ ଥର ଲାଗି ଏହି ଟେକ୍ନୋଲୋଜି ଓଡ଼ିଶାରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ଜୁନ୍ ପ୍ରଥମ ସପ୍ତାହରେ କଟକ ଜିଲ୍ଲା ଅମନପଡ଼ା ଗ୍ରାମ୍ୟ ରାସ୍ତା ନିର୍ମାଣରେ ଏହି ଟେକ୍ନୋଲୋଜିକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଛି । ବିନା ସିମେଣ୍ଟରେ କେବଳ ଶିଳ୍ପ ବର୍ଜ୍ୟ ବ୍ୟବହାର କରି ପ୍ରଦୂଷଣମୁକ୍ତ କଂକ୍ରିଟ୍ ରାସ୍ତା ନିର୍ମାଣ କରାଯାଇଛି । ନିର୍ମାଣ କ୍ଷେତ୍ରରେ ଏହି ଟେକ୍ନୋଲୋଜି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କିଟ୍ର ଗବେଷକମାନେ ଦାବି କରିଛନ୍ତି ।
ସିମେଣ୍ଟ ତିଆରି ଯୋଗୁଁ ବ୍ୟାପକ ବାୟୁ ପ୍ରଦୂଷଣ ହେଉଥିବା ସହ ଏଥିପାଇଁ ଅଧିକରୁ ଅଧିକ ପରିମାଣର ଚୂନ ପଥର ବ୍ୟବହାର ହୋଇଥାଏ । ଆସନ୍ତା ୨୦-୨୫ ବର୍ଷ ମଧ୍ୟରେ ଚୂନପଥରର ଘୋର ଅଭାବ ଦେଖା ଦେବ ବୋଲି ଗବେଷକମାନେ ମତବ୍ୟକ୍ତ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ତାପଜ ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡ଼ିକରୁ ନିର୍ଗତ ବର୍ଜ୍ୟବସ୍ତୁ ଫ୍ଲାଏଆସ୍କୁ କିପରି ସିମେଣ୍ଟର ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ ସେ ନେଇ କିଟ୍ର ଗବେଷକମାନେ ଦୀର୍ଘଦିନ ଧରି ଗବେଷଣା କରିଆସୁଥିଲେ । ସିମେଣ୍ଟର ବିକଳ୍ପ ଭାବେ ‘ଜିଓ ପଲିମର କଂକ୍ରିଟ୍’କୁ ନିର୍ମାଣରେ ବ୍ୟବହାର କରାଯାଇ ଏହି ରାସ୍ତା ନିର୍ମାଣ କରାଯାଇଛି । ପାଇଲଟ୍ ପ୍ରକଳ୍ପ ଭାବେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର କଟକ ଡିଭିଜନ ଏବଂ କିଟ୍ର ବୈଷୟିକ ଜ୍ଞାନ ସହଯୋଗରେ ଉପରୋକ୍ତ ରାସ୍ତା ନିର୍ମାଣ କରାଯାଇଛି ।






