ଭୁବନେଶ୍ୱର: ରାଜ୍ୟ ନିଯୁକ୍ତି ଇତିହାସରେ ସର୍ବକାଳୀନ ରେକର୍ଡ । ଏକାଥରକେ ନିଯୁକ୍ତି ପାଇଲେ ୬୧୩୧ ଶିକ୍ଷକ/ଶିକ୍ଷୟିତ୍ରୀ । ତାହା ପୁଣି ମାତ୍ର ୪୭ ଦିନରେ । ପ୍ରଥମ ପର୍ଯ୍ୟାୟ ୫-ଟି ହାଇସ୍କୁଲ ଟ୍ରାନସଫରମେସନ୍ କାର୍ଯ୍ୟକ୍ରମରେ ୧୦୭୫ ସ୍କୁଲର ରୂପାନ୍ତର ପରେ ରାଜ୍ୟ ସରକାରଙ୍କର ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି ।
ନବନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ୨୨୩୬ ଜଣ କଳା ଶିକ୍ଷକ, ୧୭୭୯ ଜଣ ବିଜ୍ଞାନ ଶିକ୍ଷକ, ୮୨୯ ଜଣ ହିନ୍ଦୀ ଶିକ୍ଷକ, ୭୯୬ ଜଣ ସଂସ୍କୃତ ଓ ପିଇଟି ଶିକ୍ଷକ ଏବଂ ୩ ଜଣ ତେଲୁଗୁ ଶିକ୍ଷକ ଅଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ ୪୩୮ ଜଣ ନିଯୁକ୍ତି ପାଇଥିବା ବେଳେ ଗଞ୍ଜାମ ଓ ସୁନ୍ଦରଗଡ଼ରୁ ୩୯୧ ଜଣ ଲେଖାଏଁ, ମୟୁରଭଞ୍ଜରୁ ୩୮୨, କେନ୍ଦୁଝରରୁ ୩୫୬, ବଲାଙ୍ଗୀରରୁ ୩୩୦ ଜଣ ଅଛନ୍ତି । ଦେବଗଡ଼ରୁ ସର୍ବନିମ୍ନ ୩୨ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି ।
ଆଜି କଳିଙ୍ଗ ଷ୍ଟାଡିୟମ୍ ରେ ନବନିଯୁକ୍ତ ଶିକ୍ଷକ/ ଶିକ୍ଷୟିତ୍ରୀମାନଙ୍କ ପାଇଁ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେଇ ନୂଆ ଓଡ଼ିଶା ଗଠନରେ ଶିକ୍ଷକମାନେ ସଫଳ ସହଯୋଗୀର ଦାୟିତ୍ୱ ତୁଲାଇବାକୁ ଆହ୍ୱାନ ଜଣାଇଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନୀଶକ୍ତିର ବିକାଶ ତଥା ଆତ୍ମବିଶ୍ୱାସ ବୃଦ୍ଧି ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ ।
ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ କାଲାମଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମାଜରେ ଶିକ୍ଷକମାନଙ୍କର ଭୂମିକା ଯେପରି ଗୁରୁତ୍ୱପୂର୍ଣ୍ଣ, ପୃଥିବୀରେ ଅନ୍ୟ କୌଣସି ବୃତ୍ତି ସେଭଳି ଗୁରୁତ୍ୱ ବହନ କରେ ନାହିଁ । ତେଣୁ ଶିକ୍ଷକତା ପରି ଏକ ମହାନ ବୃତ୍ତିକୁ ଆପଣେଇ ଥିବାରୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏ ପର୍ଯ୍ୟନ୍ତ ୧୦୭୫ ଟି ସ୍କୁଲର ରୂପାନ୍ତରଣ ଶେଷ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ରୂପାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀମତୀ ଟୁକୁନି ସାହୁ, ଅଶୋକ ପଣ୍ଡା, ସମୀର ଦାଶ ପ୍ରମୁଖ ଯୋଗଦେଇଥିଲେ ।