ଭୁବନେଶ୍ୱର: ୧୯୮୭ ବ୍ୟାଚ୍ ଆଇପିଏସ୍ ସୁନୀଲ ବଂଶଲ ହେବେ ଓଡ଼ିଶାର ପରବର୍ତ୍ତୀ ପୁଲିସ ଡିଜି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ହୋଇଛି । ବର୍ତ୍ତମାନ ମୁମ୍ବାଇ ଗୁଇନ୍ଦା ବ୍ୟୁରୋର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିବା ଏହି ବରିଷ୍ଠ ଓଡ଼ିଶା କ୍ୟାଡର୍ ଅଧିକାରୀ ଦୀର୍ଘ ୨୭ ବର୍ଷ ପରେ ଓଡ଼ିଶାକୁ ଫେରୁଛନ୍ତି । ୧୯୯୪ ମସିହାରୁ ସେ କେନ୍ଦ୍ରୀୟ ଡେପୁଟେସନ୍ ରେ ଅଛନ୍ତି । ଓଡ଼ିଶା ଫେରି ନୂଆବର୍ଷରେ ସେ ଡିଜି ଭାବେ ଦାୟିତ୍ୱ ନେବେ । ବର୍ତ୍ତମାନର ଡିଜି ଶ୍ରୀ ଅଭୟ ଡିସେମ୍ବର ୩୧ ତାରିଖରେ ଚାକିରିରୁ ଅବସର ନେବେ ।
ରାଜସ୍ଥାନରେ ଜନ୍ମିତ ଓଡ଼ିଶା କ୍ୟାଡର୍ ଆଇପିଏସ୍ ଶ୍ରୀ ବଂଶଲ ୨୭ ବର୍ଷ ହେଲା ବାହାରେ ଥିବାରୁ ଓଡ଼ିଶାରେ ତାଙ୍କର ସେଭଳି ବିଶେଷ ପରିଚୟ ନାହିଁ । ତେବେ ଓଡ଼ିଶାରେ ପ୍ରଥମ ୭ ବର୍ଷର ଚାକିରିକାଳ ମଧ୍ୟରେ ଜଣେ ଦକ୍ଷ ଅଫିସର ଭାବେ ତାଙ୍କର ସୁନାମ ଥିଲା । ଢ଼େଙ୍କାନାଳର ଅତିରିକ୍ତ ଏସପି ଭାବେ ଚାକିରି ଆରମ୍ଭ କରିଥିବା ଶ୍ରୀ ବଂଶଲ ପରବର୍ତ୍ତୀ ସମୟରେ ତାଳଚେର ଏସଡ଼ିପିଓ, ସମ୍ବଲପୁର ଅତିରିକ୍ତ ଏସପି, ରାଉରକେଲା ଚତୁର୍ଥ ବାଟାଲିୟନ୍ କମାଣ୍ଡାଂଟ୍, ମୟୁରଭଞ୍ଜ ଏସପି ଏବଂ ସମ୍ବଲପୁର ଭିଜିଲାନସ୍ ଏସପି ଭାବେ କାର୍ଯ୍ୟ କରିବା ପରେ ୧୯୯୪ ମସିହାରେ କେନ୍ଦ୍ରୀୟ ଡେପୁଟେସନ୍ ରେ ଚାଲି ଯାଇଥିଲେ ।
ଡିଜିପି ଭାବେ ନିଯୁକ୍ତି ପାଇଲା ପରେ ଶ୍ରୀ ବଂଶଲ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି । ଓଡ଼ିଶା ଫେରି ସେ ଖୁସି ହେବେ ବୋଲି କହିଛନ୍ତି । ଆଗକୁ ପଞ୍ଚାୟତ, ପୌର ନିର୍ବାଚନ ପରିପ୍ରେକ୍ଷୀରେ ପୁଲିସ ମୁଖିଆ ଦାୟିତ୍ୱ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଚାଲେଂଜ ଥିଲେ ମଧ୍ୟ ନିଜ ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କରିବାକୁ ପୂରାପୁରି ଚେଷ୍ଟା କରିବେ ବୋଲି ଗଣମଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଡିଜିପି ପଦରେ ନିଯୁକ୍ତି ପାଇଁ ୧୯୮୬ ବ୍ୟାଚ୍ ଅଧିକାରୀ ପ୍ରଦୀପ କପୁର, ୧୯୮୭ ବ୍ୟାଚ୍ ଅଧିକାରୀ ସୁନୀଲ ବଂଶଲ ଏବଂ ୧୯୮୮ ବ୍ୟାଚ୍ ଅଧିକାରୀ ମନୋଜ ଛାବ୍ରାଙ୍କ ନାଁ ୟୁପିଏସସି ସଟଲିଷ୍ଟ୍ କରି ରାଜ୍ୟ ସରକାରଙ୍କୁ ଦେଇଥିଲେ । ଏହି ତିନିଜଣଙ୍କ ମଧ୍ୟରୁ ଶ୍ରୀ ବଂଶଲଙ୍କ ନାଁ ଉପରେ ମୋହର ଲାଗିଛି ।
ଶ୍ରୀ ବଂଶଲ ୨୦୨୨ ଜୁନ୍ ୩୦ ରେ ଚାକିରିରୁ ଅବସର ଗ୍ରହଣ କରିବେ ।