ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା ଇତିହାସରେ ଓଡ଼ିଶାକୁ ମିଳିଲା ସବୁଠାରୁ ବଡ଼ ସଫଳତା । ରାଜ୍ୟର ଗରିବ ଲୋକଙ୍କୁ ଚିକିତ୍ସା ଖର୍ଚ୍ଚରୁ ମିଳିଛି ମୁକ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍ କାର୍ଡ ଯୋଜନାରେ ସାମିଲ ହୋଇଛି ସାରା ଓଡ଼ିଶା । ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ଏହି ଯୋଜନାରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ଲୋକ ସ୍ମାର୍ଟ କାର୍ଡରେ ଚିକିତ୍ସା ସୁବିଧା ପାଇସାରିଲେଣି ।
ପୂର୍ବରୁ ୨୮ ଟି ଜିଲ୍ଲାରେ କାର୍ଡ ବଣ୍ଟନ ହୋଇଥିବା ବେଳେ ଆଜି କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଯୋଗେ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଅଗଷ୍ଟ ୨୦ ତାରିଖରେ ମାଲକାନଗିରିରୁ ମୁଖ୍ୟମନ୍ତ୍ରୀ ଏହାର ଅଭିଯାନ ଆରମ୍ଭ କରିଥିଲେ, ଯାହା ଆଜି ଯାଜପୁରରେ ଶେଷ ହୋଇଛି । କେନ୍ଦ୍ରାପଡାର ସାଢେ ୧୧ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଯାଜପୁରର ୧୫ ଲକ୍ଷ ୪୦ ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ ।
ଏହି ଅବସରରେ ଉଭୟ ଜିଲ୍ଲାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ରାଜ୍ୟବାସୀଙ୍କୁ ଚିକିତ୍ସା ଖର୍ଚ୍ଚ ଚିନ୍ତାରୁ ଦୂର କରିବ। ଖଣ୍ଡିଏ କାର୍ଡ ଧରି ରାଜ୍ୟର ସବୁଠାରୁ ଗରିବ ଲୋକଟିଏ ମଧ୍ୟ ଦେଶର ସବୁଠାରୁ ଭଲ ହସ୍ପିଟାଲରେ ବିନା ପଇସାରେ ପାଇପାରିବ ଚିକିତ୍ସା ସୁବିଧା। ଏହାଦ୍ୱାରା ସେ ନିଜେ ବ୍ୟକ୍ତିଗତ ଭାବରେ ବହୁତ ଖୁସି ବୋଲି ପ୍ରକାଶ କରିଥିଲେ।
ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲାରେ ୧୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। କେନ୍ଦ୍ରାପଡା ସହିତ ବିଜୁ ବାବୁଙ୍କର ସଂପର୍କକୁ ମନେ ପକାଇ ସେ କହିଥିଲେ ଯେ କେନ୍ଦ୍ରାପଡା ଥିଲା ବିଜୁ ବାବୁଙ୍କ କର୍ମ ଭୂମି। କେନ୍ଦ୍ରାପଡାବାସୀଙ୍କ ସୁଖଦୁଃଖରେ ସେ ସାମିଲ ଥିଲେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ମଧ୍ୟ କେନ୍ଦ୍ରାପଡାର ମାଟି, ପାଣି ଓ ପବନରେ ବିଜୁ ବାବୁଙ୍କ ସ୍ମୃତି ଜଡିତ ହୋଇ ରହିଛି ।
କେନ୍ଦ୍ରାପଡାରେ ଶିଳ୍ପର ବିକାଶ ପାଇଁ ବହୁ ଦିନ ଧରି ଦାବୀ ଥିଲା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ରାପଡାରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିଶ୍ୱ ପ୍ରସିଦ୍ଧ ଷ୍ଟିଲ କମ୍ପାନୀ ଆର୍ସେଲର ମିତ୍ତଲ ସହିତ ରାଜିନାମା କରିଛନ୍ତି । ଏହାଦ୍ୱାରା କେନ୍ଦ୍ରାପଡା ଜିଲ୍ଲା ଦେଶର ଶିଳ୍ପ ମାନଚିତ୍ରରେ ଯୋଡି ହେବ । କେନ୍ଦ୍ରାପଡାର ଭୂମିହୀନ ଚାଷୀମାନଙ୍କ ପାଇଁ ବଳରାମ ଯୋଜନାରେ ୨୧ ହଜାର ଚାଷୀଙ୍କୁ ୪୩ କୋଟି ଟଙ୍କାର ସହାୟତା ଦିଆଯାଇଛି।
ଯାଜପୁରରେ ମୁଖ୍ୟମନ୍ତ୍ରୀ ୨୦୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଯାଜପୁରର ମିଶନ ଶକ୍ତିର ମା ମାନଙ୍କ କାମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କର ବ୍ୟବସାୟକୁ ବଢାଇବା ପାଇଁ ୨୨୨ କୋଟି ଟଙ୍କାର ଋଣ ସହାୟତା ଦିଆଯାଇଛି। ଭଲ ପିଇବା ପାଣି ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାଜପୁର ମ୍ୟୁନିସ୍ପାଲଟିର ସବୁ ପରିବାରକୁ ପାଇପ ପାଣିର ସୁବିଧା ଦିଆଯାଇପାରିଛି। ବ୍ୟାସନଗର ସହିତ ଆଉ ୮ଟି ବ୍ଲକ୍ରେ ପାଇପ ପାଣି ପାଇଁ ୧୦୦୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି। ସେହିପରି ବରି ଓ କୋରେଇ ବ୍ଲକ୍ ପାଇଁ ମଧ୍ୟ ପାଇପ ପାଣିର ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଥିଲେ। ୨୦୨୪ ସୁଦ୍ଧା ଜିଲ୍ଲାର ସବୁ ପରିବାରକୁ ପାଇପ ପାଣିର ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡାରେ ମନ୍ତ୍ରୀ ନବକିଶୋର ଦାସ, ରଘୁନନ୍ଦନ ଦାସ, ବିଧାୟକ ଶଶୀଭୂଷଣ ବେହେରା ଏବଂ ଯାଜପୁରରେ ମନ୍ତ୍ରୀ ନବ ଦାସ, ଅଶୋକ ପଣ୍ଡା ଏବଂ ସମୀର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଯାଜପୁରର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ ।
ଯାଜପୁରରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମ ବେଶ୍ ଚିତ୍ତାକର୍ଷକ ଥିଲା ।