ଭୁବନେଶ୍ୱର: ରାଜ୍ୟରେ, ରାଜ୍ୟ ବାହାରେ ଏବଂ ଦେଶ ବାହାରେ ବସବାସ କରୁଥିବା ବିପନ୍ନ ଓଡ଼ିଆଙ୍କୁ ସହାୟତା, ପରିବେଶ ସୁରକ୍ଷା, ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିରମାନ ଆୟୋଜନ କରି ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକର ଏକ ସିଂହଭାଗ ରକ୍ତ ଯୋଗାଇବା, ରୋଗୀମାନଙ୍କୁ ସୋମାନଙ୍କର ଜରୁରୀକାଳୀନ ସ୍ଥିତିରେ ତାଙ୍କ ପାଖରେ ବିରଳ ଶ୍ରେଣୀର ରକ୍ତ ଯୋଗାଇବା, ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ଗୁଡ଼ିକରେ ହେଲ୍ପଡେସ୍କମାନ ସ୍ଥାପନା କରି ରୋଗୀମାନଙ୍କ ଚିକିତ୍ସାରେ ସାହାଯ୍ୟ କରିବା ଭଳି ଅନେକ ସମାଜସେବା କାର୍ଯ୍ୟ ଓଡ଼ିଶା-ମୋ ପରିବାର ନିରନ୍ତର କରିଆସୁଛି ।

ଏହି କ୍ରମରେ ଆଜି ଓଡ଼ିଶା-ମୋ ପରିବାର ଏବଂ ଜେପିଏମ ରୋଟାରୀ କ୍ଲବ୍, କଟକର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ବରମୁଣ୍ଡା ସିଆରପି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମଥର ପାଇଁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ସକାଳ ୯ ଟାରୁ ଆରମ୍ଭ ହୋଇ ଏହି ଶିବିରରେ ଚକ୍ଷୁ ବିଭାଗର ଡାକ୍ତରମାନେ ୧୫୦ରୁ ଅଧିକ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ପରୀକ୍ଷା ପରେ ୧୬ ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା ।







