ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ, ଡିଜିପି, ଅନ୍ୟ ସରକାରୀ ଅଧିକାରୀ, ଓଡ଼ିଶା ପ୍ରଶାସନିକ ସେବା ସଂଘ ସମେତ ବିଭିନ୍ନ ସଂଘ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟ ପାଇଁ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ । ତେବେ ରାଜ୍ୟ ବିଜେପି ଏହାକୁ ବିବାଦ ଭିତରକୁ ଟାଣି ପ୍ରସଙ୍ଗ କରିଛି । ଅମଲାତନ୍ତ୍ର ଲକ୍ଷ୍ମଣରେଖା ଟପିଛି ଏବଂ ପ୍ରଶାସନିକ ଇତିହାସରେ ଏହା କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବୋଲି ବିଜେପି ସମାଲୋଚନା କରିଛି ।
ଏହି ପ୍ରସଙ୍ଗରେ ଗତକାଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି ଏହାର ଜବାବ ରଖିଥିଲେ । ସେ କହିଥିଲେ, ନିକଟରେ ବିଜେପି ଶାସିତ ରାଜ୍ୟରେ ମଧ୍ୟ ନିର୍ବାଚନ ହେବା ପରେ ବରିଷ୍ଠ ଅମଲାତନ୍ତ୍ର ଯାଇ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ବିଜୟ ଅଭିନନ୍ଦନ ଜଣାଇଛନ୍ତି । ଏଥିରେ କିଛି ଭୁଲ୍ ନାହିଁ । ଏହା ସମଗ୍ର ଭାରତରେ ଘଟେ ଏବଂ ଏହାର ଏକ ପରମ୍ପରା ।
ପ୍ରସଙ୍ଗ ସେତିକିରେ ସରିଯାଇନାହିଁ । ଆଜି ବିଜେପି ଏହି ପ୍ରସଙ୍ଗକୁ ରାଜଭବନ ନେଇଛି । ନିୟମ ଭଙ୍ଗ କରିଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛି ।
ନିର୍ବାଚନରେ ବିଜୟ ଲାଭ କରିଥିବା ଶାସନମୁଖ୍ୟଙ୍କୁ ଅମଲାଙ୍କ ଅଭିନନ୍ଦନ ପ୍ରସଙ୍ଗକୁ ନେଇ ବିଜେପି-ବିଜେଡ଼ି ଏଭଳି ମୁହାଁମୁହିଁ ହୋଇଥିବା ବେଳେ ଆଜି ସୋସିଆଲ୍ ମିଡ଼ିଆରେ ଏକ ଫଟୋ ଆସିଛି ।







