ଭୁବନେଶ୍ୱର: ଶ୍ରଦ୍ଧା, ଏକାଗ୍ରତା ଓ ସେବା ପ୍ରକୃତ ଶାନ୍ତି ପ୍ରଦାନ କରିଥାଏ ବୋଲି ନିୟୁୟର୍କସ୍ଥିତ ବେଦାନ୍ତ ସୋସାଇଟିର ମୁଖ୍ୟ ତଥା ଅଧ୍ୟାତ୍ମ୍ୟ ଗୁରୁ ସ୍ୱାମୀ ସର୍ବପ୍ରିୟାନନ୍ଦ ପ୍ରକାଶ କରିଛନ୍ତି। କିଟ୍ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ କିଟ୍ ନଲେଜ ଟ୍ରି ବକ୍ତୃତାମାଳାରେ ଅଭିଭାଷଣ ଦେଇ ସ୍ୱାମୀ ସର୍ବପ୍ରିୟାନନ୍ଦ କହିଲେ, ଆମ ନିକଟରେ ଯେତେ ଧନ ସମ୍ପତ୍ତି, କ୍ଷମତା ଓ ପ୍ରତିପତ୍ତି ଥିଲେ ମଧ୍ୟ ଏସବୁ ଆମକୁ ପ୍ରକୃତ ଶାନ୍ତି ଦେଇ ନ ଥାଏ। ଜୀବନରେ ସଫଳତା ଓ ଶାନ୍ତି ପ୍ରାପ୍ତି ଦିଗରେ ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ସଫଳତା ମଧ୍ୟ ଭିନ୍ନ ହୋଇଥାଏ । ତଥାପି ଯେତେ ସଫଳତା ମିଳିଲେ ମଧ୍ୟ ଆଧ୍ୟାତ୍ମିକତାବାଦ ବ୍ୟତୀରେକ ଆମକୁ ଶାନ୍ତି ମିଳି ନ ଥାଏ। ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତିତ୍ୱମାନେ ଆଧ୍ୟାତ୍ମିକତା ମଧ୍ୟରେ ସୁଖ ଓ ଶାନ୍ତି ଖୋଜିଥାନ୍ତି। ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଭଳି ଭାରତରେ ମଧ୍ୟ ଦ୍ରୁତ ଗତିରେ ପରିବର୍ତ୍ତନ ହୋଇ ଚାଲିଛି। ଯୁବଗୋଷ୍ଠୀ ବିଶେଷ କରି ଛାତ୍ରଛାତ୍ରୀମାନେ ହେଉଛନ୍ତି ଏହି ପରିବର୍ତ୍ତନର ଅଗ୍ରଦୂତ।

ଆଜି ସକାଳେ କିଟ୍ ଓ କିସ୍ କ୍ୟାମ୍ପସ୍ ବୁଲି ଦେଖିବା ପରେ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ କୁହାଯାଉଥିବା ହାର୍ଭାର୍ଡଠାରୁ କିଟ୍ ଓ କିସ୍ କୌଣସି ଗୁଣରେ କମ୍ ନୁହେଁ ବୋଲି ସ୍ୱାମୀ ସର୍ବପ୍ରିୟାନନ୍ଦ କହିଥିଲେ। ଏହି ପରିବର୍ତ୍ତନ ହିଁ ଭବିଷ୍ୟତ ବୋଲି ସେ କହିଥିଲେ। ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଉଦ୍ଧୃତ କରି ସେ କହିଲେ, ଆମେମାନେ ଆମ ଜୀବନର ପୂର୍ଣ୍ଣ ସଫଳତା ପାଇବାକୁ ହେଲେ ଆମକୁ ବିବେକାନନ୍ଦଙ୍କ ଆତ୍ମବିଶ୍ୱାସ, ଲକ୍ଷ୍ୟ ଉପରେ ଗୁରୁତ୍ୱଦେବା ଏବଂ ନିସ୍ୱାର୍ଥପରତା ଆଦି ତିନୋଟି ମନ୍ତ୍ର ଆପଣାଇବାକୁ ପଡ଼ିବ। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦାହରଣ ଦେଇ ସେ କହିଲେ, ଶ୍ରୀ ସାମନ୍ତ ଆଜି ଯେଉଁ ସଫଳତା ହାସଲ କରିଛନ୍ତି ତାହା ଏହି ତିନୋଟି ସୂତ୍ର ଉପରେ ଆଧାରିତ।







