ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ଲିଆମେଣ୍ଟ ପରିସର ଯାଇ ଦଳୀୟ ସାଂସଦମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ପାର୍ଲିଆମେଣ୍ଟରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବାକୁ ସେ ପରାମର୍ଶ ଦେଇଥିଲେ । ସେଣ୍ଟ୍ରାଲ୍ ହଲ୍ ରେ ଏକାଧିକ ମନ୍ତ୍ରୀ ଏବଂ ଅନ୍ୟ ଦଳର ସାଂସଦଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଭେଟ ହୋଇଥିଲା ।

ଲମ୍ବା ସମୟ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ଆଜି ପାର୍ଲିଆମେଣ୍ଟ ପରିସରକୁ ଆସିଥିଲେ । ନିଜ ନେତାଙ୍କୁ ସ୍ୱାଗତ କରିବା ପାଇଁ ଦଳୀୟ ସାଂସଦମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ପହଞ୍ଚିଲା ମାତ୍ରେ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ସାଂସଦମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହ ଭିତରକୁ ପାଛୋଟି ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଆସିକା ସାଂସଦ ପ୍ରମିଳା ବିଶୋୟୀ ଅତ୍ୟଧିକ ଆନନ୍ଦିତ ହୋଇପଡ଼ିଥିଲେ । ଖୁସିରେ ମୁଖ୍ୟମନ୍ତ୍ରୀଙ୍କୁ ଗେଲ କରୁଥିବା ଦେଖିବାକୁ ମିଳିଥିଲା । ଏହାର ଫଟୋ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ।







