ଭୁବନେଶ୍ୱର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ ଲକ୍ଷ ୬ ହଜାର ୪୯୮ କୋଟି ଟଙ୍କାର କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି । ଏପ୍ରିଲ୍ ରୁ ଜୁଲାଇ ୪ ମାସ ପାଇଁ ଏହି ଅର୍ଥ ବ୍ୟୟ ବରାଦ କରାଯାଇଛି ।
୨୦୨୨-୨୩ ଆର୍ଥିକ ବର୍ଷରେ ରାଜସ୍ୱ ଆୟ ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଏବଂ ରାଜସ୍ୱ ବ୍ୟୟ ୧ ଲକ୍ଷ ୪୪ ହଜାର ୩୪୯ କୋଟି ଟଙ୍କା ଆକଳନ କରାଯାଇଛି । ପ୍ରଶାସନିକ କ୍ଷେତ୍ର ପାଇଁ ୮୯, ୬୨୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ବେଳେ କାର୍ଯ୍ୟକ୍ରମ ଖର୍ଚ୍ଚ ୧.୧୦ ଲକ୍ଷ କୋଟି ଆକଳନ କରାଯାଇଛି । ସେଥିରୁ ସରକାରୀ କ୍ଷେତ୍ର ପାଇଁ ୧ ଲକ୍ଷ କୋଟି ଏବଂ ଅନ୍ୟାନ୍ୟ ପାଇଁ ୧୦ ହଜାର କୋଟି ବ୍ୟବସ୍ଥା ରହିଛି ।
ବିପର୍ଯ୍ୟୟ ମୁକାବିଲା ପାଇଁ ୩୨ଶହ କୋଟି ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଥିଲା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ନିମନ୍ତେ ୧୨,୨୪୧ କୋଟି ବ୍ୟୟ ବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହସ୍ପିଟାଲ୍ କୁ ପୈଠ ପାଇଁ ୧୮୬୪ କୋଟି, ମିଶନ ଶକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟି ଟଙ୍କା, ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୧୦୩୯ କୋଟି, ଏସଏଚଜି ଓ ସେମାନଙ୍କ ମହାସଂଘ ପାଇଁ ୭୭୩ କୋଟି ଟଙ୍କା , ଶିକ୍ଷାକ୍ଷେତ୍ର ପାଇଁ ୨୬ ହଜାର ୪୯୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ପାଇଁ ୧୨୦୪. ୮୮ କୋଟି, ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପାଇଁ ୨୦୩୩୦.୭୬ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୩୫୬୬.୬୨ କୋଟି, ଉଚ୍ଚଶିକ୍ଷା ବିଭାଗ ପାଇଁ ୨୮୦୭.୧୪ କୋଟି, କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ୨୦ ହଜାର ୩୪୪ କୋଟି, ବଜେଟ୍ ରେ କାଳିଆ ପାଇଁ ୧୮୭୪ କୋଟି ଟଙ୍କା ବରାଦ ହୋଇଛି ।
ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି, ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଆମର ଲକ୍ଷ୍ୟ । ଗତ ୨ ବର୍ଷରେ ଓଡ଼ିଶା ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ବିକାଶ କରୁଛି । ୨୦୦୫-୨୦୦୬ ଆର୍ଥିକ ବର୍ଷ ପରଠାରୁ କ୍ରମାଗତ ଭାବେ ରାଜସ୍ୱ ବଳକା ହୋଇ ଆସୁଛି । ବିକାଶ ଦିଗରେ କାର୍ଯ୍ୟ ହେତୁ କେନ୍ଦ୍ର ଅନୁଦାନ ଉପରେ ନିର୍ଭର କମିଛି । ରୁଷିଆ-ୟୁକ୍ରେନ୍ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟର ଅଭିବୃଦ୍ଧି ହାରରେ ବୃଦ୍ଧି ସମ୍ଭାବନା ଦେଖାଇଛନ୍ତି ଅର୍ଥମନ୍ତ୍ରୀ ।
ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ଅଭିବୃଦ୍ଧି ହାର ୭.୮% ରହିବା ଆକଳନ କରାଯାଇଛି । ଦେଶ ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ୯ ରୁ ୯.୫% ରହିବା ଆକଳନ କରାଯାଇଛି । ୨୦୨୨-୨୩ରେ ରାଜ୍ୟର ଜିଡ଼ିପି ଅଭିବୃଦ୍ଧି ୧୨% ରୁ ଅଧିକ ସମ୍ଭାବନା ଥିବା କହିଛନ୍ତି ।