ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଜେରାରେ ସତ ମାନିଗଲା ରାଜ୍ ଓରଫ୍ ରଞ୍ଜନ ନାୟକ । କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଅପହରଣ କରି କେମିତି ମାରିଲେ ଗୋଟି ଗୋଟି କରି ବଖାଣିଛି । ରଞ୍ଜନ ସତ ଓଗାଳିବା ପରେ ତାକୁ କ୍ରାଇମବ୍ରାଞ୍ଚ ଟିମ୍ ଆଜି ଚଣ୍ଡୀଖୋଲ ନିକଟରେ ଥିବା ଏକ ସ୍ପଟ୍ କୁ ନେଇଥିଲେ । ସେହି ଜାଗାରୁ ମାନସଙ୍କ ଦରପୋଡ଼ା ଚପଲ, ଇୟର ଫୋନ୍, ଏକ ଶାଢ଼ୀ, ଅଖା, କୋଦାଳ ଓ ଗଇଁତି ମିଳିଛି ।
ପ୍ରଥମ ଦିନ କ୍ରାଇମବ୍ରାଞ୍ଚ ଆଗରେ ରଞ୍ଜନ ମୁହଁ ଖୋଲି ନ ଥିଲା । ମାତ୍ର ଗତକାଲି ବିଳମ୍ବିତ ରାତି ଯାଏଁ ଜେରା ବେଳେ ରଞ୍ଜନ ସବୁ ସତ ଠାଏ ଠାଏ ମାନିଗଲା । ଶର୍ମିଷ୍ଠା, ଝୁନା,ବିବେକ, ଭାଗ୍ୟଧର ଏବଂ ରଞ୍ଜନ ଚାନ୍ଦବାଲି ଅନ୍ତର୍ଗତ ପଳାସପୁରରୁ ମାନସଙ୍କୁ ଅପହରଣ କରିଥିଲେ । ଅପହରଣ ପରେ ତାଙ୍କୁ ଦୟାଲ ଆଶ୍ରମ ଆଣିଥିଲେ । ନିରଞ୍ଜନ ସେଠୀ ସେଠାରେ ପୂର୍ବରୁ ଉପସ୍ଥିତ ଥିଲେ । ରଞ୍ଜନ, ନିରଞ୍ଜନ ସହ ଅନ୍ୟମାନେ ମାନସଙ୍କୁ ପିଟି ପିଟି ହତ୍ୟା କରିଥିଲେ ।
ହତ୍ୟା ପରେ ଶବକୁ ଏକ ଶାଢ଼ୀରେ ଗୁଡ଼ାଇ ଏକ ଅଖା ଭିତରେ ଭର୍ତ୍ତି କରିଥିଲେ । ଶର୍ମିଷ୍ଠାଙ୍କ କାରରେ ରଞ୍ଜନ ତାହା ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳକୁ ନେଇଥିଲେ । ସେଠାରେ ଏକ ଜଙ୍ଗଲିଆ ଜାଗାରେ ଶବ ପୋତି ତରବରରେ ଫେରି ଆସିଥିଲେ । ତେବେ ଶବ ଗୁଡ଼ା ହୋଇଥିବା ଶାଢ଼ୀ, ଅଖା ଏବଂ ମାନସଙ୍କ କିଛି ଜିନିଷପତ୍ର ରହିଯାଇଥିବାରୁ ସେଗୁଡ଼ିକୁ ରଫାଦଫା କରିବା ପାଇଁ ଚଣ୍ଡିଖୋଲ ରାସ୍ତା ଧରିଥିଲେ । ଚଣ୍ଡୀଖୋଲ ଛକରୁ ୨ କିମି ଦୂର ଡୁବୁରୀ ରାସ୍ତାର ଏକ ନିର୍ଜନ ଓ ଜଙ୍ଗଲିଆ ଜାଗା ଶଙ୍ଖାରିଗଡ଼ାରେ ଅଟକିଥିଲେ । ସେଠାରେ ମାନସଙ୍କ ଇୟର ଫୋନ୍, ଚପଲ, ଶବ ନେଇଥିବା ଅଖା ଆଦି ସାମଗ୍ରୀରେ ନିଆଁ ଲଗାଇ ଦେଇଥିଲେ । ଏକ କୋଦାଳ ଓ ଗଇଁତି ସାହାଯ୍ୟରେ ଏକ ବୁଦାମୂଳେ ଗାତ ଖୋଳି ସବୁ ଜିନିଷକୁ ଫିଙ୍ଗି ସେଠାରୁ ଚାଲି ଆସିଥିଲେ ।
ରଞ୍ଜନଠାରୁ ସତ ଓଗାଳିବା ପରେ ଆଜି ଚଣ୍ଡିଖୋଲ ସ୍ପଟ୍ କୁ ଯାଇଥିଲା କ୍ରାଇମବ୍ରାଞ୍ଚଏବଂ ସେଠାରୁ ମାନସଙ୍କ ଦରପୋଡ଼ା ଇୟର ଫୋନ୍, ଚପଲ କୋଦାଳ, ଗଇଁତି, ଦରପୋଡ଼ା ଅଖା ଓ ଶାଢ଼ୀ ମିଳିଥିବା କ୍ରାଇମବ୍ରାଞ୍ଚପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଦୟାଲ୍ ଆଶ୍ରମରେ ଅଭିଯୁକ୍ତମାନଙ୍କ ସିନ୍ ରିକ୍ରିଏସନ୍ ହେବ ।