ନୂଆଦିଲ୍ଲୀ: ରାଜ୍ୟସଭାର ୭୨ ଜଣ ସାଂସଦଙ୍କର ଆଜି କାର୍ଯ୍ୟକାଳ ଶେଷ ହୋଇଛି । ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ଅଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ଏନ. ଭାସ୍କର ରାଓ ଏବଂ ଡକ୍ଟର ସସ୍ମିତ୍ ପାତ୍ର । ବିଦାୟୀ ସାଂସଦମାନଙ୍କୁ ଆଜି ରାଜ୍ୟସଭାରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରରେ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡୁ ଡକ୍ଟର ସସ୍ମିତ୍ ପାତ୍ରଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ସ୍ୱଳ୍ପ ସମୟ ମଧ୍ୟରେ ଡକ୍ଟର ପାତ୍ର ଗୃହର କାର୍ଯ୍ୟବିଧିରେ ନିଜକୁ ଭଲଭାବେ ସାମିଲ କରିବା ସହ ନିଜ ପ୍ରତିଭାର ପରାକାଷ୍ଠ ଦେଖାଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ପ୍ୟାନେଲ୍ ର ସଦସ୍ୟ ଭାବେ ଅତ୍ୟନ୍ତ ଡିଗନିଫାଇଡ୍ ମ୍ୟାନରରେ ଗୃହର ପରିଚାଳନା କରିଛନ୍ତି ବୋଲି ଭେଙ୍କୟା କହିଥିଲେ । ଭେଙ୍କୟାଙ୍କର ମୁହଁରୁ ଏଭଳି ପ୍ରଶଂସା ପାଇ ସସ୍ମିତ୍ ତାଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ।