ଭୁୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ମିଳୁଥିବା ଅତିରିକ୍ତ ମାଗଣା ଚାଉଳ ବଣ୍ଟନ ଅବଧିକୁ ଆଉ ୬ ମାସ ବୃଦ୍ଧି କରାଯାଇଛି । ଅର୍ଥାତ୍ ଆଉ ୬ ମାସ ପର୍ଯ୍ୟନ୍ତ ସେମାନେ ମାଗଣା ଚାଉଳ ପାଇବେ ।
ଆଜି ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଏହି ଚାଉଳ ମିଳିବ । ଦ୍ୱିତୀୟ ଥର ପାଇଁ ରାଜ୍ୟ ସରକାର ଏହି ଅତିରିକ୍ତ ମାଗଣା ଚାଉଳ ବଣ୍ଟନ ଅବଧି ବୃଦ୍ଧି କରିଛନ୍ତି । ୨୦୨୧ ଡିସେମ୍ବରରେ ସରିବାକୁ ଥିବା ବଣ୍ଟନ ଅବଧି ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା ।
ଏହି ଯୋଜନାରେ ୮ ଲକ୍ଷ ୯ ହଜାର ହିତାଧିକାରୀ ଉପକୃତ ହେଉଛନ୍ତି । ହିତାଧିକାରୀଙ୍କୁ ମୁଣ୍ଡପିଛା ମାସକୁ ୫ କେଜି ଅତିରିକ୍ତ ଚାଉଳ ଯୋଗାଇ ଦିଆଯାଉଛି । ରାଜ୍ୟ ସରକାର ୯୧.୭୦ କୋଟି ଟଙ୍କା ଖର୍ଚ୍ଚରେ ୨୪, ୨୭୦ ଟନ୍ ଚାଉଳ ଦେଉଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଥିବା ହିତାଧିକାରୀଙ୍କ ସମକକ୍ଷ ହେବାରେ ଏହା ସାହାଯ୍ୟ କରିବ ବୋଲି କୁହାଯାଉଛି ।