ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଉଠାଇ ନେଇ ମାରିବା ଏବଂ ଶବକୁ ଅନ୍ୟତ୍ର ପୋତିବାର ସତ କାହାଣୀ କ୍ରାଇମବ୍ରାଞ୍ଚ ଆଗରେ ମାନିଯାଇଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । ସହଯୋଗୀମାନଙ୍କ ସହ ମିଶି କେମିତି ଏହି ଜଘନ୍ୟ ଅପରାଧ କରିଥିଲେ କ୍ରାଇମ୍ ସ୍ପଟ୍ ରେ ଆଜି ଗୋଟି ଗୋଟି କରି ଦେଖାଇଛନ୍ତି । ଅପହରଣଠାରୁ ଶବ ପୋତିବା ଯାଏଁ ୩ ଟି ଯାକ କ୍ରାଇମ୍ ସ୍ପଟ୍ କୁ ଆଜି ଶର୍ମିଷ୍ଠାଙ୍କୁ ନିଆଯାଇଥିଲା । ସେହି ଜାଗା ଉପରେ ହିଁ ଅପରାଧର ଡେମୋ ଦେଖାଇଥିଲେ ।
ଚାନ୍ଦବାଲି ପଳାସପୁରକୁ ବାହାଘର ସୁଟିଂରେ ଯାଇଥିବା ମାନସଙ୍କୁ ଫେବ୍ରୁଆରୀ ୭ ରେ ଶର୍ମିଷ୍ଠା ଏବଂ ସହଯୋଗୀମାନେ ଉଠାଇ ଆଣିଥିଲେ । ତାଙ୍କୁ ଭୁବନେଶ୍ୱରର ସୁନ୍ଦରପଦାସ୍ଥିତ ଦୟାଲ ବୃଦ୍ଧାଶ୍ରମକୁ ଆଣି ଅମାନୁଷିକ ନିର୍ଯ୍ୟାତନା ଦେଇଥିଲେ । ଖଟରେ ବାନ୍ଧି ପ୍ରବଳ ପିଟିଥିଲେ । ସେହି ମାଡ଼ରେ ମାନସଙ୍କର ମୃତ୍ୟୁ ହୋଇଯାଇଥିଲା ।
ଶବକୁ କିଭଳି ଓ କେଉଁଠାରେ ପୋତାଯିବ ରାତିରେ ତାହାର ଯୋଜନା ପ୍ରସ୍ତୁତ କଲେ । ସେହି ଯୋଜନା ଅନୁଯାୟୀ ଶର୍ମିଷ୍ଠା ଏବଂ ଝୁନା ଏକ ନମ୍ବର ହାଟକୁ ଯାଇ ଝୋଟ ଅଖା, ସୁତୁଲି, ଗ୍ଲୋବସ୍ କିଣିଥିଲେ । ୮ ତାରିଖ ଦିନ ଶର୍ମିଷ୍ଠାଙ୍କ କାରରେ ଶବ ନିଆଯାଇଥିଲା । ବାଟରେ ରାଜସୁନାଖଳାରୁ ଶର୍ମିଷ୍ଠା ୧୦ କେଜି ଲୁଣ କିଣିଥିଲେ । ଭାଗ୍ୟଧର ଏବଂ ରଞ୍ଜନ ସେଠାରୁ ଏକ କୋଦାଳ ଏବଂ ଗଇଁତି କିଣିଥିଲେ । ସଂଧ୍ୟାରେ ରଣପୁର ଥାନା ଅନ୍ତର୍ଗତ ବଧିପାଟଣାର ଏକ ଜଙ୍ଗଲିଆ ଅଞ୍ଚଳକୁ ଯାଇ ଶବ ପୋତିଦେଇଥିଲେ ।
ମାନସଙ୍କର କିଛି ସାମଗ୍ରୀ ରହିଯାଇଥିବାରୁ ତାକୁ ନଷ୍ଟ କରିବାକୁ ଫେରିଲା ବେଳେ ଚଣ୍ଡୀଖୋଲ ଯାଇଥିଲେ । ଚଣ୍ଡୀଖୋଲ ଛକରୁ ୨ କିମି ଦୂର ଡୁବୁରୀ ରାସ୍ତାର ଏକ ନିର୍ଜନ ଓ ଜଙ୍ଗଲିଆ ଜାଗା ଶଙ୍ଖାରିଗଡ଼ାରେ ସେହି ସବୁ ସାମଗ୍ରୀକୁ ପୋଡ଼ି ଫିଙ୍ଗି ଦେଇଥିଲେ ।
କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଥିବା ଶର୍ମିଷ୍ଠାଙ୍କୁ ଆଜି ଚତୁର୍ଥ ଦିନରେ କ୍ରାଇମ୍ ସ୍ପଟ୍ କୁ ନିଆଯାଇଥିଲା । ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ତାଙ୍କୁ ଡେମୋ ଦେଖାଇବାକୁ ପ୍ରଥମେ ପଳାସପୁରକୁ ନେଇଥିଲେ । କେଉଁ ଜାଗାରୁ ମାନସଙ୍କୁ ଉଠାଇ ଆଣିଥିଲେ ଶର୍ମିଷ୍ଠା ତାହା ଦେଖାଇଥିଲେ । ହତ୍ୟା ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଦେଖିବା ପାଇଁ ସେଠାରେ ପ୍ରବଳ ଭିଡ଼ ହୋଇଥିଲା । ତାଙ୍କୁ ଦେଖିଲା କ୍ଷଣି ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକଙ୍କୁ ସାମନା କରିବାକୁ ପ୍ରସ୍ତୁତ ନ ଥିବା କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଶର୍ମିଷ୍ଠାଙ୍କୁ ସେଠାରେ ବେଶୀ ସମୟ ରଖି ନ ଥିଲେ ।
ସେଠାରୁ ତାଙ୍କୁ ସିଧା ଦୟାଲ୍ ଆଶ୍ରମ ଅଣାଯାଇଥିଲା । ଲୋକଙ୍କ ଭିଡ଼ ଏଡ଼ାଇବା ପାଇଁ ପୂର୍ବରୁ ଆଶ୍ରମକୁ ପୋଲିସ କର୍ଡନ୍ କରାଯାଇଥିଲା । ଆଶ୍ରମର କେଉଁ ରୁମ୍ ରେ ମାନସଙ୍କୁ ମାଡ଼ ମରାଯାଇଥିଲା ଏବଂ କେମିତି ମୃତ୍ୟୁ ହେଲା ତାହାର ଟିକନିକ୍ ବିବରଣୀ କାନ୍ଦି କାନ୍ଦି ଦେଇଥିଲେ ଶର୍ମିଷ୍ଠା । ୧୫ ମିନିଟ୍ ରେ ଶର୍ମିଷ୍ଠାଙ୍କ ଡେମୋ ଦେଖା ସରିଥିଲା ।
ସେଠାରୁ ତାଙ୍କୁ ଶବ ପୋତିବା ଜାଗା ରଣପୁର ଥାନା ବଧିପାଟଣାକୁ ନିଆଯାଇଥିଲା । ଶବକୁ କେମିତି ପୋତିଲେ ତାହା ଦେଖାଇଥିଲେ ଶର୍ମିଷ୍ଠା ।
ତେବେ କେଉଁ କାରଣରୁ ମାନସଙ୍କୁ ଅପହରଣ ଓ ହତ୍ୟା କରାଗଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଶର୍ମିଷ୍ଠା ଏ ବାବଦରେ କ’ଣ କହୁଛନ୍ତି ତାହା କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇନି । ଏହା ପଛରେ କେବଳ ମେମୋରି ଚିପ୍ ନା ଅନ୍ୟ କାରଣ ଅଛି ତାହା ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇଛି ।