ଭୁୁବନେଶ୍ୱର: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଛତିଶଗଡ଼ ରାୟଗଡ଼ ସେସନ୍ସ କୋର୍ଟ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଦୁଇବର୍ଷ ଧରି କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା । ପରକୀୟା ସମ୍ପର୍କରେ ଯୋଡି ହୋଇଥିବା କଳ୍ପନା ଦାସ ନାମ୍ନୀ ଜଣେ ମହିଳା ଓ ତାଙ୍କ ୧୪ ବର୍ଷର ଝିଅ ବବଲିକୁ ଗାଡ଼ି ଚଢ଼ାଇ ହତ୍ୟା କରିଥିବା କୋର୍ଟରେ ପ୍ରମାଣିତ ହୋଇଛି । ତେବେ ଏହି ମାମଲାରେ ଗିରଫ ହୋଇଥିବା ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ନୋଙ୍କୁ କୋର୍ଟ ନିଦେ୍ର୍ଦାଷରେ ଖଲାସ କରିଛନ୍ତି ।
କାହିଁକି ଓ କେମିତି ହୋଇଥିଲା ଡବଲ୍ ମର୍ଡର୍
ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାସଙ୍କୁ ୨୦୦୦ ମସିହାରେ ବିବାହ କରିଥିଲେ ସୁନୀଲ ଶ୍ରୀବାସ୍ତବ ନାମକ ବିହାରୀ ଯୁବକ । ତେବେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ୨୦୦୪ ମସିହାରୁ ସେମାନେ ଅଲଗା ରହିଥିଲେ । ସେମାନଙ୍କର ଦୁଇବର୍ଷର ଝିଅ ବବଲି ମାଆଙ୍କ ପାଖରେ ରହିଲେ । ୨୦୧୧ ମସିହା ବେଳକୁ କଳ୍ପନାଙ୍କ ସହ ପ୍ରଭାବଶାଳୀ ରାଜନେତା ତଥା ବିଧାୟକ ଅନୁପଙ୍କର ପରକୀୟା ସମ୍ପର୍କ ଯୋଡ଼ି ହୋଇସାରିଥିଲା । ୨୦୧୧ ମସିହାରେ ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ ଅନୁପ ଏକ ଫ୍ଲାଟ କିଣି ମାଆ-ଝିଅଙ୍କୁ ନେଇ ରଖିଲେ । ପଡୋଶୀଙ୍କ ଆଗରେ ଅନୁପ ଓ କଳ୍ପନା ସ୍ୱାମୀ-ସ୍ତ୍ରୀ ଭଳି ଚଳୁଥିଲେ । ଝିଅ ବବଲି ପଢ଼ୁଥିବା ସ୍କୁଲରେ ଅନୁପ ଅଭିଭାବକ ବି ଥିଲେ । ସ୍ୱାମୀ ଓ ବାପା ଭଳି ଅନୁପ ଘରର ଯାବତୀୟ ଦାୟିତ୍ୱ ଓ ଖର୍ଚ୍ଚ ବୁଝୁଥିଲେ । ମଉଜ ପାଇଁ ଦିଲ୍ଲୀ, ବିଶାଖାପାଟଣା, ଗୋଆ ବୁଲିବାକୁ ଯାଇଥିଲେ ।
୨୦୧୫ ପର୍ଯ୍ୟନ୍ତ ସବୁ ସୁରୁଖୁରୁରେ ଚାଲିଥିଲା । ମାତ୍ର କଳ୍ପନା ତାଙ୍କୁ ବାହା ହେବାର ପ୍ରସ୍ତାବ ଦେଇ ସମ୍ପତ୍ତିବାଡ଼ିରୁ ଭାଗ ମାଗିବା ପରେ ଅଶାନ୍ତି ଆରମ୍ଭ ହୋଇଥିଲା । ଅନୁପ ବିବାହିତ ଓ ତାଙ୍କ ପରିବାର ଥିବାରୁ କଳ୍ପନାଙ୍କୁ ବିବାହ କରିବାକୁ ରାଜି ହୋଇ ନ ଥିଲେ । ଏହି ସଙ୍କଟରୁ ମୁକୁଳିବା ପାଇଁ ଅନୁପଙ୍କ ମୁଣ୍ଡରେ ପଶିଥିଲା ମର୍ଡର ପ୍ଲାନ୍ । କଳ୍ପନାଙ୍କୁ ଏକା ଜୀବନରୁ ହଟାଇଲେ ୧୪ ବର୍ଷ ଝିଅ ତାଙ୍କୁ ଭାରି ପଡ଼ିବ ବୋଲି ଆଶଙ୍କା କରି ଉଭୟଙ୍କୁ ମାରିଦେବାକୁ ଯୋଜନା କରିଥିଲେ ।
ଏହି ଯୋଜନା ସାକାର କରିବାକୁ ଛତିଶଗଡ଼ ଉପଯୁକ୍ତ ଜାଗା ବୋଲି ଅନୁପ ଚିନ୍ତା କରି ଦିନ ଠିକ୍ କଲେ । ସେ ବିବାହ କରିବେ ବୋଲି କଳ୍ପନାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ମନଖୁସି କରାଇଲେ । ଓଡ଼ିଶାରେ ବିବାହ ନ କରି ଛତିଶଗଡ଼ର ଏକ ମନ୍ଦିରରେ ବିବାହ ହେବାର ବାହାନା ଦେଖାଇ ମାଆ-ଝିଅଙ୍କୁ ଭୁବନେଶ୍ୱରରୁ ନେଇ ଆସିଲେ । ୨୦୧୬ ମସିହାର ମଇ ପ୍ରଥମ ସପ୍ତାହରେ ଛତିଶଗଡ଼ର ଚକ୍ରଧରନଗର ଥାନା ଅଞ୍ଚଳର ହମିରପୁର ଜଙ୍ଗଲର ନିକାଞ୍ଚନ ରାସ୍ତାରେ ଯିବା ବେଳେ ହତ୍ୟା ଯୋଜନା କାର୍ଯ୍ୟକାରୀ କରାଗଲା ।
ବୋଲେରୋ ଡ୍ରାଇଭର ବର୍ଦ୍ଧନ ଟପ୍ନୋକୁ ସାଙ୍ଗରେ ଧରି ଅନୁପ ସାଜିଲେ ହତ୍ୟାକାରୀ । ମାଆ-ଝିଅଙ୍କୁ ଗାଡ଼ିରୁ ଓହ୍ଲାଇ ରଡ୍ ରେ ନିସ୍ତୁକ ପିଟାଗଲା । ରକ୍ତାକ୍ତ ଅବସ୍ଥାରେ ଉଭୟ ଛଟପଟ ହେଉଥିବା ବେଳେ ବୋଲେରୋ ଗାଡ଼ି ଚଢ଼ାଇ ଦିଆଗଲା । ଦୁଇଟି ଯାକ ଶରୀର ଖିନଭିନ୍ ହୋଇଯିବା ପରେ ସେହି ଜାଗା ଛାଡ଼ି ପଳାଇ ଆସିଲେ ଅନୁପ । ପୂରାପୂରି ଭଦ୍ର ହୋଇଗଲେ ।
ପୁଲିସକୁ କେମିତି ମିଳିଲା ସନ୍ଧାନ
୨୦୧୬ ମଇ ୭ ତାରିଖରେ ହମିରପୁର ଜଙ୍ଗଲ ରାସ୍ତାରେ ଦୁଇଟି କ୍ଷତବିକ୍ଷତ ଶବ ପଡ଼ିଥିବା ସମ୍ପର୍କରେ ଚକ୍ରଧର ନଗର ପୁଲିସ ଖବର ପାଇଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାକୁ ପ୍ରଥମେ ଦୁର୍ଘଟଣା ବୋଲି ଭାବିଦେଲା । ତେବେ ଭଲ ଭାବେ ଅନୁଧ୍ୟାନ କଲା ପରେ ଭିନ୍ନ ଆଭାସ ଆସିଲା । ଶବଦୁଇଟିର ପୋଷ୍ଟମର୍ଟମ ରିପୋର୍ଟରୁ କୌଣସି ଧାରୁଆ ଅସ୍ତ୍ରରେ ଆଗ ଆକ୍ରମଣ ହେବା ପରେ ଗାଡ଼ି ଚଢ଼ାଇ ଦିଆଯାଇଥିବା ସ୍ପଷ୍ଟ ହେଲା । ତେବେ ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିଲେ ମଧ୍ୟ ବର୍ଷେ ପର୍ଯ୍ୟନ୍ତ କୌଣସି ସୁରାକ୍ ପାଇ ନ ଥିଲା ।
ଚିହ୍ନଟ ପାଇଁ ମୃତକଙ୍କ ଫଟୋ ବିଭିନ୍ନ ଥାନାରେ ଜାରି କଲା । ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶକୁ ଛତିଶଗଡ଼ ପୁଲିସ ଯାଇ ଛାନଭିନ୍ କଲା । ଏହି ସମୟରେ ଓଡ଼ିଶା ପୁଲିସରେ କନେଷ୍ଟବଳ ଚାକିରି କରୁଥିବା ମୃତ କଳ୍ପନାଙ୍କର ଜଣେ ସମ୍ପର୍କୀୟ ଭାଇ ଥାନାରେ ଲାଗିଥିବା ଫଟୋରୁ କଳ୍ପନା ଓ ଝିଅ ବବଲୁକୁ ଚିହ୍ନଟ କଲେ । ଏହା ପରେ ପୁଲିସ ତଦନ୍ତର ଦିଗ ଧରିଥିଲା ।
ସନ୍ଦେହକୁ ଅନୁପ କେମିତି ଆସିଲେ, କେମିତି ଧରାହେଲେ
ମୃତ ମାଆ-ଝିଅଙ୍କ ଶବ ଚିହ୍ନଟ ହୋଇଥିଲେ ମଧ୍ୟ ଘଟଣାସ୍ଥଳରୁ ସେମାନଙ୍କ ମୋବାଇଲ୍ ମିଳି ନ ଥିଲା । ବର୍ଷେ ପରେ ଚିହ୍ନଟ କରିଥିବା ସମ୍ପର୍କୀୟ ଭାଇଙ୍କଠାରୁ କଳ୍ପନାଙ୍କ ମୋବାଇଲ୍ ନମ୍ବର ପୁଲିସକୁ ମିଳିଲା ପରେ ଟାୱାର୍ ଲୋକେସନ୍ ରୁ କଲ୍ ଡିଟେଲସ୍ ପାଇଥିଲା । ଏହି ମୋବାଇଲ୍ କଲ୍ ରେକର୍ଡ ହିଁ ପୁଲିସକୁ ଅନୁପଙ୍କ ରାସ୍ତା ଦେଖାଇଥିଲା । ୨୦୧୬ ମସିହାରୁ ଚକ୍ରଧର ନଗର ପୁଲିସ ଅନୁପଙ୍କୁ ପଚରାଉଚୁରା କରିବା ପାଇଁ ବାରମ୍ବାର ନୋଟିସ୍ ପଠାଇଥିଲେ ମଧ୍ୟ ନିଜ ରାଜନୈତିକ କ୍ଷମତାର ଦ୍ୱାହିରେ ସେ ଭ୍ରୃକ୍ଷେପ କରି ନ ଥିଲେ ।
ତେବେ ଅନୁପଙ୍କ ଉପରେ ଛତିଶଗଡ଼ ପୁଲିସର ସନ୍ଦେହ ଦୃଢ଼ୀଭୂତ ହେଲା ପରେ ୬ ମାସ ଧରି ତାଙ୍କ ଉପରେ ତୀକ୍ଷ୍ମ ନଜର ରଖିଥିଲା । ଏ ସମ୍ପର୍କରେ ଓଡ଼ିଶା ପୁଲିସ ସୁରାକ୍ ପାଇ ନ ଥିଲା । ଛତିଶଗଡ଼ର ପୁଲିସ ଟିମ୍ ମାସର ୨୦ ଦିନ ଅନୁପମଙ୍କ ଗତିବିଧିକୁ ନଜର କରୁଥିଲା । ଇତିମଧ୍ୟରେ ଛତିଶଗଡ଼ଠାରୁ ଆରମ୍ଭ କରି ବ୍ରଜରାଜନଗର, ଭୁବନେଶ୍ୱର ଆଦି ବିଭିନ୍ନ ଅଞ୍ଚଳରୁ ଅନୁପଙ୍କ ସହ ମୃତ ମହିଳାଙ୍କ ସମ୍ପର୍କ ନେଇ ଠୋସ୍ ପ୍ରମାଣ ପାଇଥିଲା । ଅନୁପଙ୍କୁ ହାଜିରା ନୋଟିସ୍ ପଠାଇଥିଲେ ମଧ୍ୟ ସେ ନ ଶୁଣିବାରୁ ଚକ୍ରଧର ନଗର ଥାନା ପକ୍ଷରୁ ୱରେଣ୍ଟ୍ ଜାରି କରାଗଲା । ଏହି ୱାରେଣ୍ଟ୍ ବଳରେ ୨୦୨୦ ଫେବ୍ରୁଆରୀ ୧୨ ତାରିଖରେ ଅନୁପଙ୍କୁ ତାଙ୍କ ବ୍ରଜରାଜନଗର ଘର ପାଖ ସାଇମନ୍ଦିରରୁ ଉଠାଇ ନେଇଥିଲା ।
ଅନୁପଙ୍କ ବିରୋଧରେ ବିରୋଧରେ ଦଫା ୩୦୨(ହତ୍ୟା), ୧୨୦-ବି(ହତ୍ୟା ଷଡ଼ଯନ୍ତ୍ର) ଏବଂ ୨୦୧(ତଥ୍ୟ ଲୁଚାଇବା) ଲାଗିଥିଲା ।
ଅନୁପଙ୍କ ପାଖରେ ବର୍ତ୍ତମାନ ବିକଳ୍ପ ରାସ୍ତା ହେଉଛି ସେ ତଳକୋର୍ଟ ବିରୋଧରେ ହାଇକୋର୍ଟ ଯାଇପାରିବେ ।